ମରଣାନ୍ତକ ଆକ୍ରମଣ ଘଟଣା: ଜେଲ ଗଲେ ମା’ ପୁଅ

ଦିଗପହଣ୍ଡି,୧୩।୧୦,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ ପୁଅ ପି.କହ୍ନେଇ ରେଡ୍ଡୀ ଓରଫ କାହ୍ନାଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୬୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମା’ପୁଅଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତକାରୀ ଅଧିକାରୀ ଏସ.ଆଇ ରାଜ କିଶୋର ପାତ୍ରଙ୍କ ସୂଚନାନୁସାରେ ଗତ ଗୁରୁବାର ସକାଳ ପ୍ରାୟ ୬ ଟାରେ କାହ୍ନା ତାଙ୍କ ଜମି ହିଡରୁ ମାଟି ଖୋଳି ପଡ଼ିଶା ଜମିରେ ଥିବା ମାର୍କଣ୍ଡ ଙ୍କ ଧାନ ଗଛ ଉପରେ ପକାଇଥିବା ସେ ଜାଣିବାକୁ ପାଇଥିଲେ। ସକାଳ ପ୍ରାୟ ୯ ଟାରେ ମାର୍କଣ୍ଡ କାହ୍ନାଙ୍କ ଘରକୁ ଯାଇ ପଚାରିବାରୁ ଏଥିରେ ଉତ୍ତେଜିତ ହୋଇ ସେ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ କାହ୍ନାଙ୍କ ମା’ କୁରି ମାର୍କଣ୍ଡଙ୍କୁ ଠେଲା ପେଲା କରି ଜାବୁଡ଼ି ଧରିଥିଲେ। କାହ୍ନା ଘର ଭିତରୁ ଏକ ବାଉଁଶ ଠେଙ୍ଗା ଆଣି ମାର୍କଣ୍ଡଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। କାହ୍ନା ତାଙ୍କ ଘର ବାରି ପଟେ ଲୁଚାଇ ରଖିଥିବା ବାଉଁଶ ଠେଙ୍ଗାକୁ ପୋଲିସ ଜବତ କରିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily