ବେକରେ ଗାମୁଛା ଲଗାଇ ଛୁଲିପଡିଲେ ଯୁବକ, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ, ୨୬।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ କମାସାହିର ନଭ ଜେନା (୩୧) । ପ୍ରକାଶ ଯେ, ଯୁବକ ଜଣଙ୍କ ପ୍ରତିଦିନ ଭଳି ବୁଧବାର ଅପରାହ୍ନରେ ଘରକୁ ଫେରି ମଧ୍ୟାହ୍ନ ଭୋଜନ ସାରି ଘରର ଏକ ରୁମରୁ ଭିତରୁ କବାଟ ବନ୍ଦକରି ଶୋଇଥିଲେ। ସା ସୁଦ୍ଧା ନିଦରୁ ନ ଉଠିବାରୁ ଯୁବକଙ୍କ ସ୍ତ୍ରୀ ଡାକିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ସନ୍ଦେହ କରି ମହିଳା ଜଣଙ୍କ ସାହି ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିବା ବେଳକୁ ଯୁବକ ଜଣଙ୍କ ଛାତଦୁଲାରେ ଗାମୁଛାରୁ ଝୁଲିପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ମୃତକଙ୍କ ସ୍ତ୍ରୀ ବନିତା ଜେନା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି। ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଶବ ପଠାଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।