ବାରିପଦା,୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମହାପାରାୟଣ ଗାଡ଼ ନ ମିଳିବାରୁ ମୃତଦେହକୁ ଖଟିଆରେ ବୋହିନେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛ। ମୃତଦେହକୁ ସମ୍ମାନ ମିଳି ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଡାକ୍ତରଖାନା କର୍ତ୍ତୃର୍ପକ୍ଷଙ୍କ ଅବହେଳାକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି। ମୃତକ ଜଣକ ହେଲେ କାମତା ଗ୍ରାମର ରମେଶ ଚନ୍ଦ୍ର ରଣା (୭୦)।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ସମୟରେ ରମେଶ ଥଣ୍ଡା ଜନିତ ସମସ୍ୟା ପାଇଁ କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପରିବାର ଲୋକେ ମହାପାରାୟଣ ଗାଡ଼ି ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ନିବେଦନ କରିଥିଲେ। ଗାଡି ପ୍ରଦାନ ନେଇ କୌଣସି ସହଯୋଗ କରି ନ ଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଖଟିଆରେ ମୃତଦେହକୁ କାନ୍ଧେଇ ୪କିମି ବାଟ ଚାଲିଚାଲି ଘରକୁ ନେଇଥିଲେ। ସ୍ଥାନୀୟ ଲୋକେ ଏଭଳି ଦୃଶ୍ୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଘଟଣା ପ୍ରଘଟ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ବୈଜୟନ୍ତି ସିଂ କୁହନ୍ତି, କୌଣସି କର୍ମଚାରୀ ମୃତଦେହ ନେବା ସମୟରେ ଦେଖିନାହାନ୍ତି। ତରବରିଆ ଭାବେ ପରିବାର ଲୋକେ ମୃତଦେହକୁ ନେଇଯାଇଛନ୍ତି। ଆମେ ଦେଖିଥିଲେ ନିଶ୍ଚିତ ଭାବେ ଗାଡ଼ର ବ୍ୟବସ୍ଥା କରିଥାନ୍ତୁ। ତେବେ ଡାକ୍ତରଖାନା ପରିସରରୁ ମୃତଦେହ ଖଟିଆରେ ବୋହି ନିଆଯିବା ସମୟରେ କର୍ମଚାରୀ କିମ୍ବା ସିକ୍ୟୁରିଟି ଗାର୍ଡ କିପରି ଜାଣି ପାରିଲେ ନାହିଁ ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
Dharitri – Odisha’s No.1 Odia Daily