ନୂଆଦିଲ୍ଲୀ,୧୩।୬: ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ ୱାର୍ନର ଭାରତକୁ ଭଲ ପାଆନ୍ତି। କିନ୍ତୁ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ବେଶ ମର୍ମାହତ ହୋଇଛନ୍ତି। ଏହି ଘଟଣା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେଇଟି ହେଲା ସେ ଆଉ କେବେ ଏହି ବିମାନରେ ଯାତ୍ରା କରିବେ ନାହିଁ। ଜୁନ ୧୨ରେ ଅହମ୍ମଦାବାଦରେ ଘଟିଥିବା ହୃଦୟବିଦାରକ ଘଟଣା ନୁହେଁ, ବରଂ ଏହା ପଛରେ ଥିବା ବାସ୍ତବତା ମଧ୍ୟ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ବୋଲି ଓ୍ବାର୍ନର କହିଛନ୍ତି। ୱାର୍ନର ନିଜେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏହି ସମସ୍ତ କଥା ଉଲ୍ଲେଖ କରିଛନ୍ତି।
ଅଷ୍ଟ୍ରେଲିଆର ପୂର୍ବତନ ବାମହାତୀ ଓପନର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମେ ସେ ସମଗ୍ର ଘଟଣାକୁ ଦୁଃଖଦ କହିଛନ୍ତି। ତା’ପରେ ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ଥିଲା ସମଗ୍ର ପରିବାର ସହ ଏୟାର ଇଣ୍ଡିଆରେ ଯାତ୍ରା କରିବାକୁ। କିନ୍ତୁ ଏବେ ନୁହେଁ। ସେ କହିଛନ୍ତି ଯେ ସେ ଆଉ କେବେ ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ। ଏହି ବୟାନର କାରଣ ହେଉଛି ଏୟାର ଇଣ୍ଡିଆର ପୂର୍ବତନ କ୍ରୁ ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ, ଯେଉଁଥିରେ ସେ ତ୍ରୁଟିପୂର୍ଣ୍ଣ ବିମାନର ନିରନ୍ତର ବ୍ୟବହାର ବିଷୟରେ ଉଲ୍ଲେଖ କରିଥିଲେ।
ୱାର୍ନର ଆଉ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଆଉ ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିରୀହ ଲୋକଙ୍କ ଜୀବନ ସହିତ ଏହିପରି ଖେଳି ଲାଭ ଅର୍ଜନ କରିବା ଅତ୍ୟନ୍ତ ଲଜ୍ଜାଜନକ।
ସୂଚନାଯୋଗ୍ୟ, ଓ୍ବାର୍ନର ୧୫ ବର୍ଷ ଧରି ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧୨ଟି ଦିନିକିଆ, ୧୬୨ଟି ଟେଷ୍ଟ ଏବଂ ୧୧୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ତିନୋଟି ଫର୍ମାଟରେ ମିଳିତ ଭାବରେ ୧୮୦୦୦ରୁ ଅଧିକ ରନ କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ୪୯ଟି ଶତକ କରିଛନ୍ତି, ଯାହା ମଧ୍ୟରୁ ସର୍ବାଧିକ ୨୬ଟି ଟେଷ୍ଟରେ, ୨୨ଟି ଦିନିକିଆରେ ଏବଂ ୧ଟି ଶତକ ଟି-୨୦ରେ ରେକର୍ଡ କରାଯାଇଛି।
ଓ୍ବାର୍ନରଙ୍କ ନାମ ଆଇପିଏଲ୍ରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମଧ୍ୟ ସାମିଲ ହୋଇଛି। ସେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ସର୍ବାଧିକ ରନ ସ୍କୋର କରିଥିବା ବିଦେଶୀ ଖେଳାଳି। ସେ ୧୮୪ଟି ଆଇପିଏଲ୍ ମ୍ୟାଚରେ ୬୫୬୫ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋତ୍ତମ ସ୍କୋର ୧୨୬ ରନ।