ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଏନ୍ଏସି ୨ନଂ. ୱାର୍ଡ଼ ଅଧୀନ ଘାଟଘରସାହି ଅଞ୍ଚଳର ଉତ୍ତରା ଜେମାଦେବୀ (୮୮) ରକ୍ତହୀନତା ପାଇଁ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତ ରବିବାର ରାତି ୧୦ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଶାଶୁଙ୍କ ନିକଟରେ ତାଙ୍କ ବୋହୂ ସୁସ୍ମିତା ଜେମାଦେବୀ(୫୪) ରହି ଦେଖାଶୁଣା କରୁଥିଲେ। ସୋମବାର ଶାଶୁଙ୍କ ମରଶରୀରକୁ ଘାଟଘରସାହି ଅଣାଯାଇ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅନ୍ୟପକ୍ଷେ ଶାଶୁଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରି ନ ପାରି ବୋହୂ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମରଶରୀରକୁ ମଧ୍ୟ ଘାଟଘରସାହି ଅଣାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ଚନ୍ଦ୍ରକାନ୍ତ ବୀରବରଙ୍କ ସହ ପୁଅ ରିତେଶ ବୀରବର, ଝିଅ ରିଚା ଜେମାଦେବୀ, ଜ୍ୱାଇଁ, ନାତି, ବନ୍ଧୁ, ପ୍ରିୟଜନ ଉପସ୍ଥିତ ଥିଲେ। ଖବର ପାଇ ନୀଳଗିରିର ବହୁ ବିଶିଷ୍ଟ ବ୍ୟକ୍ତି ଘାଟଘରସାହିସ୍ଥିତ ବାସଭବନରେ ଶେଷଦର୍ଶନ କରିବା ସହ ତାଙ୍କ ଶବାଧାରରେ ସାମିଲ ହୋଇଥିଲେ। ପୁଅ ରିତେଶ ମୁଖାଗ୍ନି ଦେଇଥିଲେ।