ନନ୍ଦପୁର/ପାଡୁଆ,୧୯ା୯(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ବାଞ୍ଜଲାପୁଟ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଯିଛି। ସିଲିଣ୍ଡର ଫାଟି ଶ୍ୱଶୁର ଏବଂ ବୋହୂ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶ୍ୱଶୁର ବଳରାମ ଡୁରୁ ଏବଂ ତାଙ୍କ ବୋହୂ ବୁଦୁରୀ ଡୁରୁ।
ମିଳିଥିବା ସୂଚନା ମୁତବକ, ବଳରାମ ଏବଂ ତାଙ୍କ ସ୍ତ୍ରୀ ଗୁରୁବାର ରାତିରେ ରୋଷେଇ ପରେ ଗ୍ୟାସ୍ ସିଲିଣ୍ଡରର ରେଗୁଲେଟର ବନ୍ଦ କରିବାକୁ ଭୁଲିଯାଇଥିଲେ। ଶୁକ୍ରବାର ବୋହୂ ବୁଦୁରି ଚାହା କରିବାକୁ ଯାଇ ଚୁଲାକୁ ଲାଇଟର ମାରିବା ବେଳେ ସିଲିଣ୍ଡର ଫାଟି ଯାଇଥିଲା।
ବୁଦୁରିଙ୍କ ସହ ରେଷେଇ ଘର ନିକଟରେ ଥିବା ବଳରାମ ମଧ୍ୟ ଗୁରୁତର ହୋଇଥିଲେ। ବିସ୍ଫୋରଣ ପ୍ରଭାବରେ ଘରର ଆଜବେଷ୍ଟସ ଛପର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଗୁରୁତରଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଜବେଷ୍ଟସ ଛପର ଉଡ଼ି ଯିବାରୁ ନିଅଁାର ପ୍ରଭାବ କମି ଯାଇଥିଲା। ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଛି। ପାଡୁଆ ଥାନାଧିକାରୀ ଅଶୋକ ବିଶୋଇଙ୍କ ନିର୍ଦ୍ଦେଶରେ ଏସ୍ଆଇ ଦୀପକ ବାରିକ ଘଟଣାସ୍ଥଳ ପହଞ୍ଚିଛନ୍ତି। ପରିବାର ଲୋକେ ଫେରିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଥାନାଧିକାରୀ ବିଶୋଇ ସୂଚନା ଦେଇଛନ୍ତି।