ତୁମୁଡ଼ିବନ୍ଧ/ବାଲିଗୁଡ଼ା,୨ା୮(ଦୀପକ କୁମାର ପରାସେଠ/ସଞ୍ଜୟ ପାଣିଗ୍ରାହୀ): ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ମା’ଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ପିଠିରେ ୮ କି.ମି. ଜଙ୍ଗଲ ରାସ୍ତାରେ ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ ଝିଅ। ପରେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରେ ଗୁରୁବାର ଦେଖିବାକୁ ମିଳିଛି ଏହି ଘଟଣା। ମୃତା ହେଲେ ବଲମାଡୁ ମାଝୀ (୪୫)।
ଖବରରୁ ଜଣାପଡିଛି, ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ତର୍ଲଙ୍ଗି ଡୁମେରପଡ଼ା ଅଞ୍ଚଳର ବିଧବା ମହିଳା ବଲମାଡୁ ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଗୁରୁବାର ସକାଳୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ୮ କି.ମି ଦୂର ପିକୁସି ଗ୍ରାମ ପର୍ଯ୍ୟନ୍ତ ଆସି ଅଟକି ରହିଥିଲା। ଫଳରେ ଉପାୟଶୂନ୍ୟ ହୋଇ ଝିଅ ରଜନୀ ମାଝୀ ମା’ ବଲମାଡ଼ୁଙ୍କୁ ପିଠିରେ ୮ କି.ମି. କାଦୁଅ ଓ ଜଙ୍ଗଲ ରାସ୍ତାରେ ବୋହି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ବଲମାଡ଼ୁଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ତୁମୁଡ଼ିବନ୍ଧ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏ ନେଇ ନଂ. ୭/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁଧ୍ୟାନ ଚାଲିଥିବା ତୁମୁଡିବନ୍ଧ ପୋଲିସ କହିଛି। ମୃତ ମହିଳାଙ୍କ ପୁଅ କହିଛନ୍ତି, ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରିଲାନି। ଠିକ୍ ସମୟରେ ଡାକ୍ତରଖାନାକୁ ମା’ଙ୍କୁ ଆଣି ନ ପାରିବାରୁ ଏପରି ଘଟିଲା। ପ୍ରଶାସନ ନିକଟରେ ବାରମ୍ବାର ଦାବିକରିବା ସତ୍ତ୍ୱେ ଏଯାଏ ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ପ୍ରଶାସନ ଗାଁକୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।