ଓ୍ବାଶିଂଟନ,୧୬।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ସେ ରୁଷିଆ ସହିତ ଚାଲିଥିବା ଯୁଦ୍ଧ ଶେଷ କରିବା ପାଇଁ ‘ରଚନାତ୍ମକ ସହଯୋଗ’ କରିବାକୁ ପ୍ରସ୍ତୁତ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ଏହି ବିବୃତ୍ତି ଦେଇଛନ୍ତି। ଆକ୍ସିଓସ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଜେଲେନ୍ସକିଙ୍କୁ କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧବିରତି ଅପେକ୍ଷା ‘ବ୍ୟାପକ ଶାନ୍ତି ଚୁକ୍ତିନାମା’ ପସନ୍ଦ କରନ୍ତି।
ଜେଲେନ୍ସକି ଏକ ସଂକ୍ଷିପ୍ତ ବିବୃତ୍ତିରେ ନିଶ୍ଚିତ କରିଛନ୍ତି ଯେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ସୋମବାର ୱାଶିଂଟନ ଗସ୍ତ କରିବେ। ଚଳିତ ବର୍ଷ ଫେବୃଆରୀରେ ଓଭାଲ ଅଫିସରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦୁର୍ଭାଗ୍ୟଜନକ ସାକ୍ଷାତ ପରେ ଏହା ଦ୍ୱିତୀୟ ବୈଠକ ହେବ।
ସମ୍ପ୍ରତି ଆଲାସ୍କା ଶିଖର ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧବିରତି ଉପରେ କୌଣସି ଚୁକ୍ତି ହୋଇପାରିଲା ନାହିଁ। ଏହା ପରେ, ୱାଶିଂଟନ ଫେରିବା ସମୟରେ ଡୋନାଲ୍ଡ ଟ୍ରମ୍ପ ଜେଲେନ୍ସକି ଏବଂ ଅନ୍ୟ ୟୁରୋପୀୟ ନେତାଙ୍କ ସହ କଥାବାର୍ତ୍ତା କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନା ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଜେଲେନ୍ସକି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନା ‘ଦୀର୍ଘ ଏବଂ ଫଳପ୍ରଦ’ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଆମେରିକାରୁ ମିଳିଥିବା ସୁରକ୍ଷା ଗ୍ୟାରେଣ୍ଟି ଉପରେ ‘ସକାରାତ୍ମକ ସଙ୍କେତ’ ପାଇଛନ୍ତି।
ଆଲାସ୍କା ଛାଡିବା ପୂର୍ବରୁ ଫକ୍ସ ନ୍ୟୁଜ ଚ୍ୟାନେଲକୁ ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ବୈଠକ ପରେ ସେ ଏବଂ ପୁଟିନ ଅନେକ ପଏଣ୍ଟରେ ସହମତ ହୋଇଥିଲେ, କିନ୍ତୁ ସେ କହିଥିଲେ ଯେ ‘ଏହାକୁ ଶେଷ କରିବା ପ୍ରକୃତରେ ରାଷ୍ଟ୍ରପତି ଜେଲେନ୍ସକିଙ୍କ ଉପରେ ନିର୍ଭର କରେ। ତଥାପି, ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଏହି ପ୍ରକ୍ରିୟାରେ ୟୁରୋପୀୟ ଦେଶମାନଙ୍କର ମଧ୍ୟ ଭୂମିକା ରହିବ। ଏ ବିଷୟରେ ୟୁରୋପୀୟ ନେତାମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ୱାଶିଂଟନ ଫେରିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମ ସହିତ କଥା ହୋଇ ନଥିଲେ। ତାଙ୍କ ବିମାନ ଅବତରଣ କରିବା ପରେ, ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି ଯେ ଜେଲେନ୍ସକିଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଟ୍ରମ୍ପ ନାଟୋ ନେତାମାନଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି।