ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ

ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍‌ଫ୍ଲିକ୍ସ, ହଟ୍‌ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍‌ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍‌ ମିଡିଆ ଆଉଟ୍‌ଫିଟ୍‌ସ ନୂଆ ଆଇଟି ନିୟମ ଅଧୀନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରାୟ ଅଧିକାଂଶ ଓଟିଟି ପ୍ଲାଟ୍‌ଫର୍ମ ତଥ୍ୟ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଗତ ଫେବୃୟାରୀରେ ନୂଆ ନିୟମ ଆଣିଥିଲେ। ଉପଭୋକ୍ତା ଏବଂ ଅଭିଯୋଗକାରୀଙ୍କ ଭେରିଫିକେଶନ ଅଫିସରଙ୍କ ସମେତ ଅଭିଯୋଗ ଶୁଣାଣି ଅଧିକାରୀ, ୨୪ ଘଣ୍ଟିଆ ଯୋଗାଯୋଗ ଅଧିକାରୀ ଆଦିଙ୍କୁ ନିଯୁକ୍ତ ଦେବାକୁ ସରକାର ପ୍ରସ୍ତାବ ଦେଇଥିଲେ। ସମ୍ପୃକ୍ତ ଅଧିକାରୀ ନିୟମ ଅନୁଯାୟୀ, ନିର୍ଦ୍ଦେଶ କିମ୍ବା ଆବଶ୍ୟକତା ଅନୁସାରେ କାମ କରିବେ ବୋଲି ସରକାର କହିଥିଲେ। ନିୟମ ଅନୁଯାୟୀ ସମସ୍ତ ବିଷୟରେ ବିସ୍ତୃତ ତଥ୍ୟ ୧୫ ଦିନ ମଧ୍ୟରେ ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ଗତ ୨୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା।

Share