ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା ଆଲୋଚନା ହେଉଛି। ନାଗରିକର ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ଆଦାନପ୍ରଦାନରେ ସୁରକ୍ଷା ରହିବା ଜରୁରୀ। ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ଓ ତାହାର ମୂଳ କମ୍ପାନୀ ମେଟା, ଯାହା ଅଧୀନରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଅଛି, ତାହା ବ୍ୟବହାରକାରୀଙ୍କ ତଥ୍ୟରୁ ଲାଭ ପାଇଁ ଡାଟା ଶେୟାର କରିଦେଉଥିବାରୁ ସୁପ୍ରିମକୋର୍ଟ ୩ ଫେବୃଆରୀରେ ଏହାକୁ ନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ସର୍ବୋଚ୍ଚ ଅଦାଲତ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅପବ୍ୟବହାର କରିବାକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି। ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି)ଙ୍କ ରାୟକୁ ଚ୍ୟାଲେଞ୍ଜ କରି ହ୍ବାଟ୍ସଆପ୍‌ ଓ ମେଟା ସର୍ବୋଚ୍ଚ ଅଦାଲତରେ ଦାଏର କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ର ୨୦୨୧ ଗୋପନୀୟତା ନୀତିକୁ ନେଇ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ହ୍ବାଟ୍ସଆପ୍‌ ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଥିଲେ। ପରେ ଏନ୍‌ସିଏଲ୍‌ଏଟି ୪ ନଭେମ୍ବର ୨୦୨୫ରେ ଉକ୍ତ ଆଦେଶକୁ ବଳବତ୍ତର ରଖିଥିଲେ। ଏହା ପରେ ମେଟା ସୁପ୍ରିମକୋର୍ଟ ଯିବା ସହ ଉପରୋକ୍ତ ଅର୍ଥ ମଧ୍ୟ ଦାଖଲ କରିଥିବା କୋର୍ଟରେ ଦର୍ଶାଇଛି। ହେଲେ ସର୍ବୋଚ୍ଚ ଅଦାଲତ କହିଛନ୍ତି, କେବଳ ଅର୍ଥ ପଇଠ କରିଦେଲେ ହେବ ନାହିଁ, ବରଂ ନାଗରିକଙ୍କ ଅଧିକାର ସୁରକ୍ଷିତ ଓ ସୁନିଶ୍ଚିତ ରହିବା ଦରକାର।
ତଥ୍ୟ ସୁରକ୍ଷା ଉପରେ ଶୀର୍ଷ ଅଦାଲତଙ୍କ ଟିପ୍ପଣୀ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ। କାରଣ ଆଜିର ଡିଜିଟାଲ ଯୁଗରେ ତଥ୍ୟ ସବୁଠାରୁ ମୂଲ୍ୟବାନ ପଦାର୍ଥ ହୋଇଗଲାଣି। ଏଭଳି କମ୍ପାନୀଗୁଡ଼ିକ ବିଭିନ୍ନ ସମୟରେ ଲାଭ ପାଇଁ ଲୋକଙ୍କ ତଥ୍ୟ ବିକ୍ରି କରିଦେଉଛନ୍ତି। ତେଣୁ ପ୍ରିଭେସି ସୁରକ୍ଷା ନେଇ ସ୍ବତନ୍ତ୍ର ନିୟନ୍ତ୍ରଣ ଅଣାଯିବା ଉପରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁ ନାହିଁ। ଅନ୍ୟପଟେ ଭାରତ ସରକାରଙ୍କ ପାଖରେ ମଧ୍ୟ ନାଗରିକଙ୍କ ତଥ୍ୟ ସୁରକ୍ଷିତ ରହିପାରୁନାହିଁ। ଉଦାହରଣ ସ୍ବରୂପ, ବିଭିନ୍ନ ସମୟରେ ସରକାରୀ ଓ୍ବେବ୍‌ସାଇଟ୍‌ ଏବଂ ଡିଜିଟାଲ ପ୍ଲାଟଫର୍ମରୁ ତଥ୍ୟ ଚୋରି କଥା ଶୁଣିବାକୁ ମିଳିଛି। ସରକାର ବାରମ୍ବାର ଜୋର ଦେବା ଯୋଗୁ ପ୍ରାୟ ସବୁ ନାଗରିକ ନିଜ ଆଧାର ସହ ବ୍ୟାଙ୍କ, ପାନ୍‌କାର୍ଡ ଏବଂ ଅନ୍ୟସବୁ ସମ୍ବେଦନଶୀଳ ତଥ୍ୟ ଯୋଡ଼ି ସାରିଲେଣି। ବିଡ଼ମ୍ବନାର ବିଷୟ ହେଲା, ଆଧାର ତଥ୍ୟ ଲିକ୍‌ ହେବା ଘଟଣା ନୂଆ ନୁହେଁ। ଥରକୁ ଥର ଆଧାର ତଥ୍ୟ ଲିକ୍‌ ହେଉଛି ଓ ଲୋକଙ୍କ ପ୍ରିଭେସି ଉପରେ ଆଞ୍ଚ୍‌ ଆସୁଛି। ଏହା ଉପରେ ମଧ୍ୟ ସୁପ୍ରିମକୋର୍ଟ ନିଜଆଡ଼ୁ ଟିପ୍ପଣୀ ଦେବା ଦରକାର। ନିକଟରେ ଭାରତ ସରକାର ପ୍ରତି ମୋବାଇଲରେ ‘ସଞ୍ଚାର ସାଥୀ’ ନାମକ ଏକ ଆପ୍‌ ବିକ୍ରି ପୂର୍ବରୁ ଇନ୍‌ଷ୍ଟଲ କରିବାକୁ ମୋବାଇଲ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଆପଲ୍‌ ସମେତ ଅଧିକାଂଶ କମ୍ପାନୀ ସରକାରଙ୍କ ଏଭଳି ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ବିପଦରେ ପକାଇବ ବୋଲି ଦର୍ଶାଇ ବିରୋଧ କରିଥିଲେ। ଏହି ବିରୋଧ ଯୋଗୁ କଥାଟି ଲୋକଲୋଚନକୁ ଆସିଲା ଓ ସାଧାରଣ ନାଗରିକଙ୍କ ଘୋର ସମାଲୋଚନା ଏବଂ ଚାପ ପଡ଼ିବା ପରେ ସରକାର ପଛଘୁଞ୍ଚା ଦେଇଥିଲେ। ଏଭଳି ସ୍ଥଳେ ଅନ୍ତର୍ଜାତୀୟ କମ୍ପାନୀ ଉପରେ କଟକଣା ଲଗାଇବା ସହଜ ହେଉ ନାହିଁ। ଅଷ୍ଟ୍ରେଲିଆ ସମେତ କେତେକ ୟୁରୋପୀୟ ଦେଶରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ବାରଣ କରିବା ଲାଗି ପଦକ୍ଷେପ ନିଆଯାଉଛି। ସେଥିପାଇଁ ଭାରତରେ ଅନୁରୂପ ବ୍ୟବସ୍ଥା କରାଯିବା ଉପରେ ଅନେକେ ଗୁରୁତ୍ୱ ଦେଉଛନ୍ତି। ହେଲେ ସାମାଜିକ ଗଣମାଧ୍ୟମର ପରିସର ଏତେ ବ୍ୟାପକ ହୋଇଛି ଯେ, ତାହାକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରୁ ନାହିଁ। ଦିନ ଥିଲା ସୋସିଆଲ ମିଡିଆ ବ୍ୟବହାର କରି ରାଜନୈତିକ ଦଳଗୁଡ଼ିକ ଅନେକ ଫାଇଦା ପାଉଥିଲେ। ଏବେ ଏହାର ପରିସର ବୃଦ୍ଧି ପାଉଥିବାରୁ ପ୍ରଶଂସା ସହ ସମାଲୋଚନା ମଧ୍ୟ ଘୋର ହେଉଛି। ସେଥିପାଇଁ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଯେକୌଣସି ସରକାର ପାଇଁ କ୍ରମାଗତ କଷ୍ଟକର ହୋଇପଡ଼ିଲାଣି। ଚାଇନା ଭଳି ଭାରତର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ ନ ଥିବାରୁ ଆମେରିକାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌, ‘X’ ଏବଂ ରୁଷିଆର ଟେଲିଗ୍ରାମ୍‌ ଉପରେ ନିର୍ଭର କରିବାକୁ ପଡ଼ୁଛି।
ଏବେ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଯୁଗରେ କେବଳ ବ୍ୟବହାରକାରୀଙ୍କ ଅନ୍ତରଙ୍ଗ ତଥ୍ୟ ନୁହେଁ, କପିରାଇଟ୍‌ ଓ ପରିଚୟ ଚୋରି କଥା ମଧ୍ୟ ଆଲୋଚନାକୁ ଆସିଲାଣି। କୋର୍ଟ କିମ୍ବା ସରକାରଙ୍କୁ ଆଗକୁ ଏ ସବୁ ଉପରେ ନିୟନ୍ତ୍ରଣ କରିବା ଆହୁରି କଷ୍ଟକର ହୋଇପଡ଼ିବ।

Dharitri – Odisha’s No.1 Odia Daily