ଦଶହରା ଲାଗି ଦାରିଙ୍ଗବାଡ଼ି ଚଳଚଞ୍ଚଳ: ସ୍ଥାପନ ହେଲା ଶୁଭ ଖୁଣ୍ଟି, ଆଡମ୍ବରରେ ପୂଜା ପାଳନ ଲାଗି…

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ମଙ୍ଗଳବାର ଦଶହରା ପର୍ବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ଦୁର୍ଗା ପୂଜା କମିଟିର ସଭାପତି ଜୟଚଦ୍ର ପଡ୍ରା ପୂଜା କର୍ମରେ କର୍ତ୍ତା ଭାବେ ବସିଥିବା ବେଳେ ଉପସଭାପତି ତଥା ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ(କନ୍ଧମାଳ) କାହ୍ନୁ ଚରଣ ଗୌଡ଼, ସମ୍ପାଦକ ସୁରତ ପ୍ରଧାନ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ କୁମାର୍‌ ସାହୁ, ଗମ୍ବେଶ୍ୱର ପାତ୍ର, ରାଜୀବ ନାୟକ, ଲେଙ୍କା ନାୟକଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ପୂଜକ ବୁଲୁ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ।

ସଭାପତିଙ୍କ ସୂଚନାନୂଯାୟୀ, ସପ୍ତମୀଠାରୁ ମା’ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯିବ। ତ୍ରିଦିନାତ୍ମକ ଏହି ପୂଜା ଦଶମୀରେ ପୂର୍ଣ୍ଣାହୁତି ହେବ। ପ୍ରତିଦିନ ମା’ଙ୍କ ଏହି ଅସ୍ଥାୟୀ ମଣ୍ଡପରେ ଶହ ଶହ ଶ୍ରଦ୍ଧାକୁଙ୍କ ଭିଡ଼ ରହିବ। ସେଥିପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବା ପାଇଁ କମିଟି ପକ୍ଷରୁ ଆୟୋଜନର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଉକ୍ତ ଅସ୍ଥାୟୀ ମଣ୍ଡପରେ ସର୍ବସାଧାରଣ ଓ ପୂଜା କମିଟି ମଧ୍ୟରେ ଦୀର୍ଘ ଦିନ ହେଲା ଜମି ବିବାଦ ରହିଛି ଯାହାକି କୋର୍ଟ ପର୍ଯ୍ୟନ୍ତ ମାମଲାଟି ପହଞ୍ଚିଥିଲା। ତେଣୁ ସୋମବାର ସାରେ ସମ୍ମନ୍ନୟ କମିଟିକୁ ନେଇ ଏକ ଶାନ୍ତି ବୈଠକ ବାଲିଗୁଡା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ଡିଏସ୍‌ପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝିଙ୍କ ଉପସ୍ଥିତିରେ ବସିଥିଲା। ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସି ଚଳିତ ଦଶହରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପ୍ରତିଶୃତି ଦେଇଥିଲେ।

Share