ସିମନବାଡିରେ ଦଶହରା ସ୍ଥାୟୀ ମନ୍ଦିରରୁ ମା’ ପାଟ୍ଟଖଣ୍ଡାଙ୍କ ଅସ୍ଥାୟୀ ମଣ୍ଡପକୁ ଆଗମନ

ଦାରିଙ୍ଗବାଡି,୩୦ ।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ଏବେ ଦଶହରା ପୂଜାପାଇଁ ଚଳ ଚଞ୍ଚଳ ହୋଇଉଠିଛି । ଉକ୍ତ ବ୍ଲକ ସିମନବାଡି ଠାରେ ଏହି ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ଗାଁ ଶେଷ ମୁଣ୍ଡରେ ରହିଥିବା ଟୀକାପାଟା ନଦୀରେ ଇନ୍ଦ୍ର ଦେବତା, ଗଙ୍ଗା ମାତାଙ୍କ ସମେତ ସମସ୍ତ ଠାକୁରଙ୍କୁ ପୂଜା କରାଯାଇ କଳସରେ ଜଳ ଉଠାଇ ଆଣିଥିଲେ। ସେଠାରୁ ମା’ପଟ୍ଟାଖଣ୍ଡା ମନ୍ଦିରରେ ଶ୍ରଦ୍ଧାଳୁମାନେ ପହଞ୍ଚି ସେଠାରେ ମା’ ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚନା କରାଯାଇ ଅସ୍ଥାୟୀ ମନ୍ଦିରକୁ ଆହ୍ବାନ କରାଯାଇଥିଲା । ସେଠାରେ ଅଜ୍ଞାମାଳ ପ୍ରାପ୍ତ କରି ବିରାଟ କଳସ ଶୋଭାଯାତ୍ରାରେ ମା’ଙ୍କ ଘଟ ନେଇ ଅସ୍ଥାୟୀ ମଣ୍ଡପ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା।ମା’ଙ୍କ ଗାଁ ଭିତରକୁ ଆଗମନ ସମୟରେ ସମସ୍ତ ଶ୍ରଦ୍ଧାଳୁ ନିଜ ଘର ସମ୍ମୁଖରେ କଳସ, ଦୀପ, ଭୋଗ ରଖି ମା’ଙ୍କୁ ପୁଜିଥିଲେ। ପରେ ମା’ଅସ୍ଥାୟୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମା’ ପାଟ୍ଟଖଣ୍ଡାଙ୍କୁ ମୃଣ୍ମୟ ମୂର୍ତ୍ତିରେ ଦୁର୍ଗାଙ୍କ ରୂପରେ ପୂଜାର୍ଚନା କରାଯାଇଥିଲା। ଆସନ୍ତାକାଲି ନବମୀ ତିଥିରେ ମା’ଙ୍କ ପୂଜା କରାଯିବା ସହ ଦଶମୀ ତିଥିରେ ମଧ୍ୟ ଏହି ପୂଜାର୍ଚନା କରାଯିବ ବୋଲି ମୁଖ୍ୟ ପୂଜକ ସନ୍ତୋଷ କୁମାର ମିଶ୍ର କହିଛନ୍ତି । ମା’ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ଦିଲୀପ କୁମାର ସାହୁଙ୍କ ନେତୃତ୍ୱରେ ଆଲୋକ ସାହୁ ବିନୋଦ ସାହୁ, ସରୋଜ ସାହୁ, ବରୁଣ ବେହେରା, ଜିତେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ପ୍ରଧାନ, ରାଜେଶ ସାହୁ, ବାଥଲମ ନାୟକ,ଗିରିଶ ସାହୁ, ଆଶୁତୋଷ ସାହୁ, ବାବୁଲା ସାହୁ, ଅଶୋକ ବେହେରା, ସୋନୁ ବେହେରାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏହି କଳସ ଶୋଭାଯାତ୍ରା ଓ ମା’ପାଟ୍ଟଖଣ୍ଡାଙ୍କ ଆହ୍ବାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।