ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ ନାୟକଙ୍କ ଦ୍ଵିତୀୟ ପୁତ୍ର ବିନୟ ଓରଫ ଲିଟୁ (୨୨)ଙ୍କକେରଳ ରାଜ୍ୟର ରାଜଧାନୀ ଥିରୁବନ୍ତପୁରମରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ ଶରୀର ଗ୍ରାମକୁ ଆଣିବା ପାଇଁ ପରିବାର ଲୋକଙ୍କ ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଏନେଇ ଜିଲା ପ୍ରଶାସନ ଓ ଶ୍ରମ ଅଧିକାରୀଙ୍କୁ ମୃତ ବିନୟଙ୍କ ବାପା ହେରାର୍ଦ ଚିଠି ଲେଖିଛନ୍ତି। ସେ ଚିଠିରେ ନିବେଦନ କରିଛନ୍ତି ଯେ ତାଙ୍କ ପୁଅର ମୃତଦେହ ଗାଁକୁ ଆଣିବାକୁ ତାଙ୍କର ସମ୍ବଳ ନାହିଁ । ତେଣୁ ମୃତଦେହ ଆଣିବାକୁ ସେ ନିବେଦନ କରିଛନ୍ତି।
ପ୍ରକାଶ ଯେ ମୃତ ବିନୟ କେରଳ ର ରାଜଧାନୀରେ ଗୋଟିଏ ହୋଟେଲରେ କାର୍ଯ୍ୟରତ ରହିଥିଲେ। ସେ ନିଜ ଡ୍ୟୁଟି ସାରି କୌଣସି ଜଣେ ସାଙ୍ଗଙ୍କ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ବାଇକ ସହ ଦୁର୍ଘଟଣା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ସେଥିରେ କେରଳର ୨ ଜଣ ରହିଥିବା ବେଳେ ଓଡିଶାର ଦାରିଙ୍ଗବାଡି ଥାନା ଅଞ୍ଚଳର ବିନୟ ରହିଥିବା ମାମୁ ଜେମ୍ସ ନାୟକ ସୂଚନା ଦେଇଛନ୍ତି। ବିନୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଖବର ଦାରିଙ୍ଗବାଡି ଅଞ୍ଚଳରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।