ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜକ ତଥା ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ପୌରାହିତରେ ପୂଜାର୍ଚନା କରାଯାଇଛି। ବିଶ୍ୱକର୍ମାଙ୍କୁ ଆହ୍ବାନ, ହୋମ, ଦୀପ ଦାନ ଆଦି କରାଯାଇଥିଲା। ବିଡ଼ିଓ ପ୍ରୀତିରଞ୍ଜନ ରଥ କର୍ତ୍ତା ଭାବେ ପୂଜାର୍ଚନା ସମ୍ପାଦନା କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ସୁଶାନ୍ତ ପ୍ରଧାନ, କମଳ ପାତ୍ର ପ୍ରମୁଖ ଏହି ପୂଜାରେ ଉପବାସରେ ରହି ବ୍ରତ ପାଳନ କରିଥିଲେ। କୁହାଯାଏ ବିଶ୍ୱକର୍ମା ହେଉଛନ୍ତି ସ୍ଥାପତ୍ୟ ଏବଂ ଇଞ୍ଜିନିୟରିଂର ଦେବତା ତେଣୁ ଇଞ୍ଜିନିୟର ମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥିଲେ। ତାଙ୍କ ସହ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ପୂଜା କାର୍ଯ୍ୟରେ ଯୋଗଦାନ କରି ବିଶ୍ୱକର୍ମାଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସମସ୍ତେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜାରେ ନିଜ ବ୍ରତକୁ ପାଳନ କରିଥିଲେ।
ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ସମର୍ପିତ ହୋଇ ବିଶ୍ୱକର୍ମା ପୂଜା ଅଞ୍ଚଳରେ ରହିଥିବା ଛୋଟଛୋଟ ଶିଳ୍ପ ଗୃହ, ବୈଷୟିକ ୟୁନିଟ ଏବଂ ଉତ୍ପାଦନ ୟୁନିଟ ଗୁଡ଼ିକରେ ବହୁ ଭକ୍ତିର ସହିତ ପାଳିତ ହେଉଛି। ବୈଷୟିକ ଏବଂ ଉତ୍ପାଦନ ୟୁନିଟ ମାଲିକମାନେ ସେମାନଙ୍କ ୟୁନିଟ୍ରେ ପୂଜା ପାଇଁ ପ୍ରସ୍ତୁତି କରୁଥିବା ଦେଖାଯାଇଥିଲା। ସେହିପରି, ଧୋଇ ହୋଇଥିବା ଯାନବାହାନ ଧରି ଲୋକମାନେ ମନ୍ଦିରରେ ସେମାନଙ୍କର ଯାନବାହାନ, ଯନ୍ତ୍ରପାତିକୁ ପବିତ୍ର କରିବା ପାଇଁ ପୂଜାର୍ଚ୍ଚନା କରିଥିଲେ।