Categories: ଅନୁଗୋଳ

ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ

ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍‌ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫ ଖଣ୍ଡ ସାହି ଯଥା, ଟିକରପଡ଼ା, ଘୁମୁସର ସାହି, ପନ୍ଦରା ସାହି, ରୋଡ ଅଞ୍ଚଳ ଓ ଅନ୍ୟାନ୍ୟ ସାହିର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ଖେଳ ପଡ଼ିଆ ନାହିଁ, ଗୋଟିଏ କକ୍ଷରେ ୫ ଶ୍ରେଣୀ, ସ୍କୁଲକୁ ଲାଗି ବିପଦସଙ୍କୁଳ ଡ୍ରେନ୍‌ ରହିଥିବା ବେଳେ ଏଠାରେ କୌଣସି ପାଚେରୀ ନାହିଁ। ଫଳରେ ପିଲାମାନେ ଖେଳ କୁଦରୁ ବଞ୍ଚିତ ହେଉଛନ୍ତି। ଏଭଳି ବିଭିନ୍ନ ସମସ୍ୟାରେ ଗତି କରୁଛ ସ୍କୁଲ। ଏନେଇ କିଛି ଦିନ ପୂର୍ବରୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତି କରାଯାଇଥିଲା। କିନ୍ତୁ କୌଣସି ଫଳ ମିଳି ନାହିଁ। ସେହିଭଳି ବ୍ରାହ୍ମଣ ସାହି ଉଚ୍ଚ ଇଂଲିଶ ବିଦ୍ୟାଳୟରେ ଖେଳ ପଡିଆ ନାହିଁ। ଏହା ରାଜା ରାଜୁଡା ଅମଳରୁ ଅବସ୍ଥିତ। କିନ୍ତୁ ଏହି ବିଦ୍ୟାଳୟରେ ପାଖାପାଖି ୪୦୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ରମାନେ ଶାରୀରିକ ଓ ଖେଳ କୁଦରୁ ବଞ୍ଚିତ ହେଉଛନ୍ତି। ଏଥିସହ ୧୨ ନଂ. ୱାର୍ଡ, ୫ନଂ. ୱାର୍ଡରେ କୌଣସି ପ୍ରାଥମିକ ବିଦ୍ୟାଳୟ ନ ଥିବାରୁ ରାସ୍ତା ପାର ହୋଇ ଅନ୍ୟ ବିଦ୍ୟାଳୟକୁ ଆସୁଥିବା ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ସମସ୍ତ ଅସୁବିଧା ଦୂର କରିବା ପାଇଁ ଅଞ୍ଚଳବାସୀ, ବୁଦ୍ଧିଜୀବୀ ବିଶେଷକରି ସମାଜିକକର୍ମୀ ଭୀମସେନ ବେହେରା ଦାବି କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଛି।