ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ। ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ପକ୍ଷରୁ ବରଗଡ଼ – ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥର ଚକୁଳି ଫାର୍ମ ଛକରୁ ଗଡ଼ମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଲରାସରା ମାଇନର ସିଏସିଆର ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ କାମ ସାରିବାକୁ ବସିଲାଣି l ତେବେ କେତେ ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଛି କାହାକୁ ଜଣାନାହିଁ l ଅନ୍ୟ ପଟେ ପିଚୁ ରାସ୍ତା ମଝିରେ ଏବେ ବିଦ୍ୟୁତ୍‌ ଖୁଣ୍ଟ ଲୋକଙ୍କ ସ୍ବାଭାବିକ ଯାତାୟତରେ ବାଧା ପାଇଁ ବାଧା ସୃଷ୍ଟି ହେବାକୁ ଯାଉଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଗତ ୨୦୨୫ ଅଗଷ୍ଟ ୨୨ରେ ଏହି କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଶିଳାନ୍ୟାସ ଫଳକରେ ଥିବା ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗ ରାସ୍ତା ନିର୍ମାଣର ଦାୟିତ୍ୱ ନେଇଛି। କେତେକ ସ୍ଥାନରେ କାମ ସମ୍ପୂର୍ଣ୍ଣ ହେବାକୁ ବସିଛି, ମାତ୍ର ସମ୍ପୂର୍ଣ୍ଣ ସୂଚନା ଫଳକଟିଏ ଏଯାଏଁ ନାହିଁ। କେବଳ ଶିଳାନ୍ୟାସର ଏକ ଫଳକ ରହିଛି l ସେଥିରେ ସେଭଳି କିଛି ସୂଚନା କି ତଥ୍ୟ ନାହିଁ l କେତେ ଟଙ୍କାର ବ୍ୟୟ ଅଟକଳ ହୋଇଛି, ରାସ୍ତାର କେତେ ମିଟର ପ୍ରଶସ୍ତୀକରଣ ହେବ, କେଉଁ ଅନୁପାତରେ କାମ ହେବ, କେବେ କାର୍ଯ୍ୟ ଶେଷ ହେବ ସେ ନେଇ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଫଳରେ ଜନସାଧାରଣ ଠିକ ତଥ୍ୟ ପାଇପାରୁ ନାହାଁନ୍ତି l ପୁଣି କେତେକ ସ୍ଥାନରେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ ଗଛ ରହିଛି । ସେଥିମଧ୍ୟରୁ ଅନେକ ବିଦ୍ୟୁତ ଖୁଣ୍ଟ ୧୧ କେଭି ରହିଛି l ରାତ୍ର ସମୟରେ ଖୁଣ୍ଟ ବା ଗଛରେ ଧକ୍କା ହୋଇ ଦୁର୍ଘଟଣାର ଶୀକାର ହେବା ସହିତ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l ଏନେଇ ଅତାବିରା ବିଦ୍ୟୁତ୍‌ ବିଭାଗ ଏସଡ଼ିଓ ରବିନାରାୟଣ ମହାନ୍ତିଙ୍କୁ ପଚାରିବାରୁ ସମ୍ପୃକ୍ତ ବିଭାଗ ପ୍ଲାନ ଓ ଏଷ୍ଟିମେଟକୁ ଅଣଦେଖା କରୁଛନ୍ତି। ସୋମବାର ନିଜେ ଘଟଣାସ୍ଥଳ ପରିଦର୍ଶନ କରି କିଭଳି ସମସ୍ୟାର ସମାଧାନ ହେବ ପଦକ୍ଷେପ ନେବା ବୋଲି କହିଥିଲେ। ଅନ୍ୟ ପଟେ ଜଳ ସମ୍ପଦ ବିଭାଗର ଗୋଡ଼ଭଗା କେନାଲ ଏସଡ଼ିଓ ଅନୁପ ତାଣ୍ଡିଙ୍କୁ ତାଙ୍କ ମୋବାଇଲ ନମ୍ବର ୮୮୯୫୯୭୧୪୩୭ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନ ଲାଗିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ଆସନ୍ତା ସୋମବାର ଅତାବିରାରେ ଜିଲାପାଳଙ୍କ ଯୁଗ୍ମ ଜଣାଶୁଣାଣି ରହିଥିବାରୁ ଏହି ଅଭିଯୋଗ ଅଣାଯିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି l

 

Dharitri – Odisha’s No.1 Odia Daily