ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଚୈତ୍ର ମାସରେ ଚାରିଆଡ଼େ ଦଣ୍ଡନାଚ ପାଇଁ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ପ୍ରରିପ୍ରେକ୍ଷୀ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ପ୍ରତିଦିନ ଗାଁ ଗାଁରେ ଏହି ଦଣ୍ଡନାଚ ଚାଲିଛି। ଏହି ଅବସରରେ ଗୁରୁବାର ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ଜୁଡ଼ାବାଡ଼ି ସାହି ଶିବମନ୍ଦିର ପ୍ରାଙ୍ଗଣରେ କ. ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ିର ଦଣ୍ଡୁଆ ଦଳ ଦଣ୍ଡ ପରିବେଷଣ କରିଥିଲେ। ସେମାନେ ପହଞ୍ଚିବା ପରେ ସେଠାରେ ସାହି ବାସିନ୍ଦା ମା’ ରୁଦ୍ରକାଳୀ ଓ ଶିବ ଶମ୍ଭୁଙ୍କୁ ବରଣ କରିଥିଲେ। ପରେ ଦଣ୍ଡୁଆ ଦଳ ବିଭିନ୍ନ ମନ୍ଦିର ବେଢା ବୁଲିବା ସହ ଶିବ ମନ୍ଦିର ପ୍ରାଙ୍ଗଣରେ ଧୂଳିଦଣ୍ଡ ପରିବେଷଣ କରିଥିଲେ। ଅଦିନିଆ ବର୍ଷା ସତ୍ତ୍ୱେ ଦର୍ଶକ ଧୂଳିଦଣ୍ଡ ଦେଖିବାକୁ ପ୍ରବଳ ଭିଡ଼ ଜମାଇଥିଲେ। ପରେ ଜଳଦଣ୍ଡ ଓ ରାତ୍ରିରେ ଦଣ୍ଡ ଚରିତ୍ର ପରିବେଷଣ ହେବ ବୋଲି କମିଟିର ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣି, ଲୋକନାଥ ମାଝୀ, ବିଷ୍ଣୁପ୍ରିୟା ସାହୁ, ସଞ୍ଜୟ ସାହୁ ପ୍ରମୁଖ କହିଛନ୍ତି।