ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା ମିଳିଛି। ଏହି ସମୟରେ ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା, ଜିଲା ପ୍ରଶାସନ, ପୋଲିସ ଓ ସେବାୟତମାନେ ଉପସ୍ଥିତ ଥିଲେ। ଏହି ସମୟରେ ଚୋରଙ୍କ ଏକ କାରାନାମା ପଦାକୁ ଆସିଛି। ପାହାଡ ତଳେ ଥିବା ସିଂହଦ୍ବାର ହୁଣ୍ଡି ମଧ୍ୟରୁ ଭକ୍ତଙ୍କ ଦାନ ନୋଟକୁ ଦୁବୃର୍ତ୍ତମାନେ ବାହାର କରିବା ଲାଗି କାଠିରେ ଚୁଇଁଗମ ଲଗାଇ ଦାନହୁଣ୍ଡି ଭିତରକୁ ପକାଇ ଟଙ୍କା ଲୁଟି ଦେନବାକୁ ଯୋଜନା କରିଥିଲେ। ସେଥିରେ ସେମାନେ ଫେଲ ମାରିଛନ୍ତି। ସେମାନେ ପକାଇଥିବା ଚୁଇଁଗମ୍ ଦାନହୁଣ୍ଡି ମଧ୍ୟରେ ଖସି ରହିଯାଇଥିଲା। ହୁଣ୍ଡି ଗଣତି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କେ.ଦେବାଶିଷ ପାତ୍ର, ପୁରୁଷୋତ୍ତମପୁର ଏସ୍ଆଇ କିରଣ ବକ୍ସି, ସେବାୟତ ବାପୁଜୀ ରଣା, ପୋଲିସ କର୍ମଚାରୀ ଓ ତହସିଲ କର୍ମକାରୀ ଉପସ୍ଥିତ ଥିଲେ।