ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ। ପ୍ରକାଶ ଯେ, ଉକ୍ତ ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବାକୁ ଦୈନିକ ବଜାର ଦାରିଙ୍ଗବାଡି ନିର୍ମାଣ କାର୍ଯ୍ୟ ଚାଲିଛି। ମୋଟ ୨୪ଟି ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବାବେଳେ ୧୩ଟି ପିଞ୍ଜରା ପ୍ଲାଟଫର୍ମ, ରୁଫେଡ୍ ପ୍ଲାଟଫର୍ମ ୨୪ଟି ଏବଂ କେବଳ ପିଣ୍ଡି ୨୭ଟି କାର୍ଯ୍ୟ ଚାଲିଛି। ଶୀଘ୍ର ସମସ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯିବା ସହ ପନିପରିବା ସହ ଅନ୍ୟ ଦୋକାନ ସବୁ ଏଠାରେ ଖୋଲାଯିବ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ ପ୍ରତିଦିନ ଉକ୍ତ କାର୍ଯ୍ୟସ୍ଥଳକୁ ଯାଇ କାର୍ଯ୍ୟର ତଦାରଖ କରିବା ସହ ଶୀଘ୍ର ସାରିବାକୁ କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପୁର୍ବରୁ କିଛି ବ୍ୟବସାୟୀ ଦୋକାନ ଗୃହ ପାଇଥିବାବେଳେ ସେମାନେ ସେଠାରେ ଦୋକାନ ଆରମ୍ଭ କରି ନ ଥିବାରୁ ଯେଉଁମାନେ ଦୋକାନ ଗୃହ ହାତେଇ ମଧ୍ୟ ନିରବ ରହିଛନ୍ତି ସେମାନେ ସେଠାରେ ଦୋକନ ନ ଖୋଲିଲେ ସେମାନଙ୍କ ବିରୋଧରେ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ଉକ୍ତ ଗୃହରୁ ଉଚ୍ଛେଦ କରି ଅନ୍ୟ ବ୍ୟବସାୟୀଙ୍କୁ ସେହି ସ୍ଥାନରେ ଥଇଥାନ କରାଯିବାକୁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି। ବିଡ଼ିଓଙ୍କ କାର୍ଯ୍ୟ ତଦାରଖ ବେଳେ କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।