୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ତଳେ ରହିଛି। ଏହା ୨ ହଜାର ୮୨୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦ ତଳେ ରହିଛି। ଏହା ୨୪ ହୋଇଛି। ୨ ଦିନ ତଳେ ଏହା ୧୦ ରହିଥିଲା।

ଏହି ସମୟରେ ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି। ଏହା ୧୯ ହଜାର ୬୭ ରହିଛି। ସେହିପରି ୨୪ ଘଣ୍ଟାରେ ୩ ହଜାର ୨୩୦ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୧୮୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୧୩ ହଜାର ୪୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୭୦ ହଜାର ୧୬୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୦ କୋଟି ୮୦ ଲକ୍ଷରୁ ଅଧିକ ଟପିଛି।

ସେଥିମଧ୍ୟରେ ୯୧ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୧ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୯୭୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୪୮୯ ଜଣ, ହରିୟାଣାରେ ୩୮୩ ଜଣ, ମହାରାଷ୍ଟ୍ରରେ ୨୨୧ ଜଣ, ଉତ୍ତରପ୍ରଦେଶରେ ୧୬୯ ଜଣ, କର୍ନାଟକରେ ୧୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।