ଜୟପାଟଣା, ୧୦।୧୦(ଓମ ପ୍ରକାଶ ବୈଠାରୁ):କଲହାଣ୍ଡିରେ ଥମୁନି ଦାଦନ ଦୁଃଖ। ପୁଣି ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ। କାନ୍ଦବୋବାଳିରେ ଫାଟିପଡିଛି ଗାଁ ଦାଣ୍ଡ। ଏଭଳି ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ପ୍ରଜାନାଗଫେଡ଼ି ଗାଁରେ। ଏହି ଗାଁର ଗିରିରାଜ ବାଣୁଆ ନାମକ ଜଣେ ଯୁବକ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ସେଠାରେ ଟ୍ରେନରେ ତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ଯୋଗୁ ମୃତଦେହ ଗାଁକୁ ଆଣିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ସ୍ଥାନୀୟ ଲୋକେ ବିଧାୟକ ପ୍ରଦୀପ ଦିଶାରୀ ଓ ଭବାନୀପାଟଣା ଆଦିବାସୀ ସଂଘ ସଭାପତିଙ୍କୁ ଜଣାଇଥିଲେ। ଏହାପରେ ଉଭୟେ ଏହି ଘଟଣାକୁ ନେଇ ଜିଲା ପ୍ରଶାସନକୁ ଜଣାଇବା ପରେ ମୃତ ଗିରିରାଜ ବାଣୁଆଙ୍କ ମୃତଦେହ ଗାଁକୁ ଆଣିବା ବ୍ୟବସ୍ଥା କରିଥିଲେ। ଶୁକ୍ରବାର ତାଙ୍କ ମରଶରୀର ଗାଁକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରୋଜଗାରିଆ ପୁଅକୁ ହରାଇ ବାପାମା ଭାଙ୍ଗି ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗେଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।