ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦାଦନ ଶ୍ରମିକ ରାଜେନ୍ଦ୍ର ବେହେରା(୩୭) ମହାରାଷ୍ଟ୍ରର ମୁମ୍ବାଇ ସାମ୍ବାଜି ଷ୍ଟେଶନର ଟ୍ରେନ ଲାଇନରେ କଟି ମୃତ୍ୟୁବରଣ କରିଛନ୍ତି। ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କ ମୃତଦେହ ସତନ୍ତ୍ର ଆମ୍ବୁଲାନ୍ସରେ ଗାଁରେ ପହଞ୍ଚିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗ୍ରାମର ଚେରୁ ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର। ମହାରାଷ୍ଟ୍ର ମୁମ୍ବାଇରେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଅନ୍ୟ ୨ ଜଣଙ୍କ ସହ ଘରୁ ବାହାରିଥିଲେ। ରବିବାର ସକାଳେ ସେ ମୁମ୍ବାଇ ର ସାମ୍ବାଜୀ ରେଳ ଷ୍ଟେଶନରେ ପହଞ୍ଚିଥିଲେ। ଅନ୍ୟ ୨ ସାଙ୍ଗ ଓହ୍ଲାଇ ପଡୁଥିବା ଦେଖି ସେ ଲଗେଜ ଧରି ଓହ୍ଲାଇବା ବେଳେ ଟ୍ରେନ ଛାଡି ଦେଇଥିଲା। ଫଳରେ ଅସାବଧାନତା କାରଣରୁ ଟ୍ରେନ ଲାଇନରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏନେଇ ପରିବାର ଲୋକଙ୍କୁ ସୂଚନା ମିଳିବାପରେ ସେମାନେ ସ୍ଥାନୀୟ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ସେଠାକାର ପ୍ରଶାସନ ଓ ରେଳବାଇ ପୋଲିସ ଅଧିକାରୀଙ୍କ ସହ ଫୋନରେ କଥା ହୋଇ ମୃତଦେହ ଗାଁକୁ ପଠାଇବାକୁ ଅନୁରୋଧ କରିଥିଲେ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ସରପଞ୍ଚଙ୍କ ଉଦ୍ୟମକ୍ରମେ ପଞ୍ଚାୟତରେ ଗଠନ କରାଯାଇଥିବା ସରପଞ୍ଚ ରିଲିଫ ଫଣ୍ଡରୁ ୨୬ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ସରପଞ୍ଚ ପ୍ରଦାନ କରିଥିବା ଜଣାଇଛନ୍ତି। ରାଜେନ୍ଦ୍ର ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ତ୍ରୀ ଓ ପୁଅ ଝିଅ ଅଛନ୍ତି। ପଞ୍ଚାୟତ ଟିବି ମୁକ୍ତ ଯୋଜନାରେ ତାଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା। ସେ ପରିବାର ପରିପୋଷଣ ପାଇଁ ସୁଦୂର ମୁମ୍ବାଇ ଯାଇଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିବାରୁ ସରପଞ୍ଚ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।