ଅଧିକାରୀଙ୍କ ଭୁଲ୍‌ ସର୍ଭେରୁ ଦାଦନ ପରିବାର ଆୟକରଦାତା

ନୂଆପଡ଼ା,୫ା୯ (ମକାରୁ ବେମାଲ):ଅଧିକାରୀଙ୍କ ଭୁଲ୍‌ ସର୍ଭେ ଯୋଗୁ ଏକ ଦାଦନ ପରିବାର ଆୟକରଦାତା ଭାବେ ପରିଗଣିତ ହେଉଛନ୍ତି। ଏହାର ବାସ୍ତବ ଚିତ୍ର ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ବିଲେଇଅଞ୍ଜର ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଲେଇଅଞ୍ଜର ଗାଁର ଘାସିରାମ ତାଣ୍ଡି (୫୦) ସ୍ତ୍ରୀ ଗୋଲାପୀ ତାଣ୍ଡି (୪୫), ଝିଅ ପୁଷ୍ପା (୨୫), ଦୀପା (୨୩), ଗୀତା (୨୧), ମମିତା (୧୩) ଓ ପୁଅ ପରେଶ ତାଣ୍ଡି (୮)ଙ୍କ ସହ ରହନ୍ତି। ଘାସିରାମଙ୍କ ଜମିବାଡ଼ି କହିଲେ କିଛି ନାହିଁ। ଭଙ୍ଗା ଦଦରା ମାଟିକାନ୍ଥ ଖପର ଘରେ ୭ କୁଟୁମ୍ବ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ବର୍ଷକରେ ୬ ମାସ ଗାଁରେ କାମଧନ୍ଦା କରିବା ସହ ବାକି ୬ ମାସ ବାହାର ରାଜ୍ୟକୁ ଦାଦନ ଯାଇ ପରିବାର ପ୍ରତିପୋଷଣ କରନ୍ତି ା ହେଲେ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌ ସର୍ଭେ ପାଇଁ ଘାସିରାମ କାଗଜ କଲମରେ ଧନୀ ହୋଇ ବର୍ଷକୁ ୨ ଲକ୍ଷ ୫୦ ହଜାର ଟଙ୍କା ଆୟକର ବିଭାଗକୁ ଟ୍ୟାକ୍ସ ଦେଉଛନ୍ତି। ଅନ୍‌ଲାଇନରେ ଏହା ଦେଖାଉଥିବାରୁ ସବୁ ଯୋଜନାରୁ ସେ ବଞ୍ଚତ୍ତ ଅଛନ୍ତି। ଆଇଟି ପେଇ ବୋଲି ତାଙ୍କ ରାଶନକାର୍ଡ କଟିଯାଇଛି। ପରିବାରର ମା’ ଝିଅ ମିଶି ୪ ଜଣ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ। ସେଥିରୁ ମା’ ଓ ଝିଅ ଗୋଟିଏ କିସ୍ତି ସୁଭଦ୍ରା ଟଙ୍କା ପାଇଥିବାବେଳେ ଦ୍ୱିତୀୟ କିସ୍ତି ଟଙ୍କା ଆସିଲା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ ମଧ୍ୟ ୭ କୁଟୁମ୍ବ ରହିବା ପାଇଁ ଅଭାବ ହେବ ଭାବି ଦାଦନ ଟଙ୍କା ଲଗାଇ ଗୋଟିଏ ଘର କରୁଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି ା ବଡ଼ଝିଅ ପୁଷ୍ପା ସ୍ନାତକ ପାସ୍‌କରି ତାମିଲନାଡୁରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ସେ ଯାହା ରୋଜଗାର କରି ପଠାଇଲେ ପରିବାର ଚଳୁଛି। ଏ ନେଇ ଘାସିରାମ ସରପଞ୍ଚଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ନିରାଶ ହୋଇପଡ଼ିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଯିଏ ଆଇଟି ପେଇ ହୋଇଥିବ ସରକାରୀ ଯୋଜନା ପାଇପାରିବେ ନାହିଁ। ଏହି ଗରିବ ପରିବାର ସରକାରଙ୍କ ସମସ୍ତ ଯୋଜନା ପାଇବାକୁ ହକ୍‌ଦାର। କ’ଣ ହୋଇଛି ତଦନ୍ତ କରିବେ ବୋଲି ସେ କହିଥିଲେ ା