କାଟ୍ରିନାଙ୍କ ବିବାହ ସମୟରେ ବିଦେଶ ଯିବେ ସଲମାନ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଖୁବଶୀଘ୍ର ବାଜିବ ସାହାନାଇ। ବୟଫ୍ରେଣ୍ଡ ଭିକି କୌଶଲଙ୍କୁ ସେ ଆସନ୍ତା ଡିସେମ୍ବର ୯ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଙ୍ଗୀତ ଏବଂ ମେହେନ୍ଦି ଫଙ୍କସନ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ। କାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି। ଏପରିକି ଏହି ଦୁଇ ସେଲବ୍ରିଟି ନିଜ ବିବାହ ପାଇଁ ଏସଓପି ଜାରି କରିଥିବା ସୂଚନା ମିଳିଛି । ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛି ଫାଇନାଲ ହୋଇ ସରିଲାଣି। କେବଳ ବିବାହକୁ ଅପେକ୍ଷା।
ହେଲେ କ୍ୟାଟଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ଯୋଗ ଦେବେ ନା ନାହିଁ ସେ ନେଇ ଦେଖାଦେଇଛି ସସ୍ପେନ୍ସ। ଉଭୟ ଏବେ ଟାଇଗର-୩ରେ କାମ କରୁଥିବା ବେଳେ ସଲମାନଙ୍କ ପାଇଁ କ୍ୟାଟ ହେଉଛନ୍ତି ବେଶ ଖାସ୍‌। ହେଲେ ତାଙ୍କ ବିବାହରେ ସଲମାନଙ୍କ ଉପସ୍ଥିତ ରହିବେ ନା ନାହିଁ ସେ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଚାଲିଛି। ଏବେ ଖବର ଆସିଛି କାଟ୍ରିନାଙ୍କ ବିବାହ ସମୟରେ ସଲମାନ ନିଜ ଶୋ’ ପାଇଁ ଦେଶ ବାହାରେ ଥିବେ। ସଲମାନ ତାଙ୍କ ସୁପରହିଟ ଫିଲ୍ମ ‘ଦବଙ୍ଗ’ ନାମରେ ଅନେକ ବର୍ଷ ଧରି ଷ୍ଟେଜ ଶୋ’ କରୁଛନ୍ତି। ଏହି ବର୍ଷ ତାଙ୍କ ଶୋ ୧୦ ଡିସେମ୍ବରରେ ରିୟାଦରେ ଅନୁଷ୍ଠିତ ହେବ। ସେ ଜାଣିଶୁଣି ସେଦିନ ମୁମ୍ବାଇ ଦେଶରେ ରହିବାକୁ ଚାହାଁନ୍ତି ନାହିଁ ଏବଂ ଏହି ବିବାହକୁ ନିମନ୍ତ୍ରଣ ପାଇଛନ୍ତି କି ନାହିଁ ପ୍ରଶ୍ନର ଉତ୍ତର ଦେବାଠାରୁ ଦୂରରେ ରହିବାକୁ ଚାହାଁନ୍ତି।
ନିକଟରେ ସଲମାନଙ୍କ ଭଉଣୀ ଅର୍ପିତା କହିଥିଲେ କ୍ୟାଟଙ୍କ ବିବାହ ପାଇଁ ଏ ଯାଏ ସେମାନେ କୌଣସି ନିମନ୍ତ୍ରଣ ପାଇ ନ ଥିବା କହିଛନ୍ତି। ଏପରିକି ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଏ ଯାଏ କୌଣସି ନିମନ୍ତ୍ରଣପତ୍ର ମିଳିନି । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଅର୍ପିତା।