ବାଂଲାଦେଶରେ ବାତ୍ୟା ସିତ୍ରାଙ୍ଗ୍‌ର ତାଣ୍ଡବ: ୧୬ ମୃତ

କୌକାଟା,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ୍‌ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ୧୬ ଜଣଙ୍କ ଜୀବନ ନେଇଛି। ବାତ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ବାତ୍ୟାରେ ବିଦ୍ୟୁତ୍‌ ବିଚ୍ଛିନ୍ନ କାରଣରୁ ୧୫ ଉପକୂଳ ଜିଲାର ପ୍ରାୟ କୋଟିଏ ଲୋକ ଅନ୍ଧାରରେ ରହିଛନ୍ତି। ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ବାଂଲାଦେଶର ସମସ୍ତ ସ୍କୁଲ୍‌ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରେ ସିତ୍ରାଙ୍ଗ୍‌ ଦକ୍ଷିଣ ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିଥିଲା। ବୋଟ୍‌ ବୁଡ଼ିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗଛଡାଳ ପଡ଼ି ଅନ୍ୟମାନଙ୍କ ଜୀବନ ଯାଇଛି। ବାତ୍ୟା ପାଇଁ ଉତ୍ତରପୂର୍ବ ଭାରତରେ ବିମାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ସୋମବାର ସକାଳୁ ୧୦ଟି ବିମାନକୁ ବାତିଲ କରିଦିଆଯାଇଥିଲା। ରେଲ୍‌ଓ୍ବେ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଅଗରତାଲାରୁ କୋଲକାତା ଯାଉଥିବା ୩ ବିମାନ, ଅଗରତାଲାକୁ ସିଲଂ, ଐଜଓ୍ବଲକୁ ସଂଯୋଗ କରୁଥିବା ବିମାନ ଏବଂ ଇମ୍ପାଲରୁ ଶିଲଂ, ଦିଲ୍ଲୀ, ଅଗରତାଲାଙ୍କୁ ସଂଯୋଗ କରୁଥିବା ବିମାନ ଉଡ଼ାଣ ବାତିଲ ହୋଇଛି।