କଲମ୍ବୋ,୨୯ା୧୧ ବାତ୍ୟା ଡିଟ୍ଓ୍ବା ଜନିତ ପ୍ରବଳ ବର୍ଷାରେ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ ଆଶ୍ରୟ ସ୍ଥଳରେ ରହିଥିବା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଶ୍ରୀଲଙ୍କା ସରକାର ଜରୁରୀ ସ୍ଥିତି ଘୋଷଣା କରିବା ସହ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛନ୍ତି।
ଶ୍ରୀଲଙ୍କାରେ ସପ୍ତାହେ ହେଲା ବର୍ଷା ଲାଗିରହିଥିବା ବେଳେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଦେଶରେ ଜରୁରୀ ଆଇନ ଲାଗୁ କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସେନାର ୩ ବାହିନୀକୁ ନିୟୋଜିତ କରାଯାଇଛି। ବାତ୍ୟା ଭାରତ ଆଡ଼େ ଅଗ୍ରସର ହେଉଥିବା ବେଳେ କଲମ୍ବୋର ପୂର୍ବରେ ଥିବା କାଣ୍ଡି ଜିଲାରେ ଭୂସ୍ଖଳନ ଘଟି ମୁଖ୍ୟ ରାସ୍ତାର ଅନେକ ଭାଗ ଜଳାର୍ଣ୍ଣବ ହୋଇଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ୍ ରହିଛି। କେଲାନି ନଦୀକୂଳର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବାତ୍ୟାରେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବିଦେଶରେ ଥିବା ଶ୍ରୀଲଙ୍କା ନାଗରିକ ସହାୟତା ପଠାଇବା ପାଇଁ ସରକାର ନିବେଦନ କରିଛନ୍ତି।
ଶ୍ରୀଲଙ୍କାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା ୨୧ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ଏଥିସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଭାରତ ୮୦ ଜଣ ଏନ୍ଡିଆର୍ଏଫ୍ କର୍ମଚାରୀ ଏବଂ ୮ ଟନ୍ ଉପକରଣ ପଠାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାରେ ବିପର୍ଯ୍ୟୟ ଖବର ପାଇବା ପରେ ଭାରତ ତୁରନ୍ତ ଅପରେଶନ ସାଗରବିନ୍ଦୁ ଜରିଆରେ ସହାୟତା ପଠାଇଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଭାରତୀୟ ବାୟୁସେନାର ଗୋଟିଏ ସି-୧୩୦ ଏବଂ ଗୋଟିଏ ଆଇଏଲ୍-୭୬ ବିମାନକୁ ରିଲିଫ୍ ପଠାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି।
Dharitri – Odisha’s No.1 Odia Daily