ଚେନ୍ନାଇ,୨୯ା୧୧: ବାତ୍ୟା ଡିଟ୍ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ରବିବାର ଭୋର ସୁଦ୍ଧା ଉତ୍ତର ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଭାଗରେ ପହଞ୍ଚିବା ପୂର୍ବାନୁମାନ କରାଯାଇଛି।
ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ତାମିଲନାଡୁ, ପଣ୍ଡିଚେରୀ ଏବଂ ଆନ୍ଧ୍ରରେ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ମୁକାବିଲା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ଦିଗରେ ପ୍ରସ୍ତୁତି ଜାରି ରଖିଛନ୍ତି। ଅନବରତ ବର୍ଷା ଲାଗିରହିଥିବାରୁ ଚେନ୍ନାଇ ଏୟାରପୋର୍ଟ ୫୪ଟି ବିମାନକୁ ବାତିଲ କରିଦେଇଛି। ତାମିଲନାଡୁର ପ୍ରଭାବିତ ଜିଲାରେ ଶନିବାର ସ୍କୁଲ, କଲେଜଗୁଡ଼ିକୁ ଛୁଟି କରିଦିଆଯାଇଛି। ଉପକୂଳରେ ଶନିବାର ପବନର ବେଗ ୫୦ରୁ ୬୦ କି.ମି. ଥିବାବେଳେ ଉପକୂଳ ଛୁଇଁବା ବେଳକୁ ବେଗ ୯୦ କି.ମି. ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା କରାଯାଉଛି।