ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟ୍‌ଓ୍ବା: ଆଜି ସନ୍ଧ୍ୟାରେ ଲାଣ୍ଡଫଲ

ପୁଡୁଚେରୀ,୩୦।୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କାରେ ପ୍ରଳୟ ରଚିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ ଆଶ୍ରୟ ସ୍ଥଳରେ ରହିଥିବା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଶ୍ରୀଲଙ୍କା ସରକାର ଜରୁରୀ ସ୍ଥିତି ଘୋଷଣା କରିବା ସହ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛନ୍ତି।

ଏଭଳି ସ୍ଥିତିରେ ବାତ୍ୟା ଡିଟ୍‌ଓ୍ବା ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ମୁହାଁଇଛି। ଭାରତ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ବାତ୍ୟା ଡିଟ୍‌ଓ୍ବା ପ୍ରଭାବରେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଏବଂ ପବନ ବହିବା ଜାରି ରହିଛି। ତାମିଲନାଡୁର ଉପକୂଳବର୍ତ୍ତୀ ଜିଲା ବିଶେଷକରି ନାଗାପଟ୍ଟିନମ, ତାଞ୍ଜାଭୁର, ତିରୁଭରୁର, ମୟିଲାଦୁଥୁରାଇ, କୁଡାଲୋର ଏବଂ ଚେଙ୍ଗାଲପଟୁରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଯାହା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଜଳବନ୍ଦୀ ଏବଂ ବନ୍ୟା ସୃଷ୍ଟି ହୋଇଛି।

ଘୂର୍ଣ୍ଣିଝଡ଼ ଉପକୂଳରେ ସମାନ୍ତରାଳ ଭାବରେ ଗତି କରିବ ବୋଲି ଆଶା କରାଯାଉଛି, ଯାହା ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଏପରିକି ବେଳେବେଳେ ୯୦ କିଲୋମିଟର ଗତିରେ ମଧ୍ୟ ପବନ ବହିବ ବୋଲି ଆଶଙ୍କା କରାଯାଇଛି।

ପ୍ରବଳ, ବର୍ଷା ସାଧାରଣ ଜୀବନକୁ ଗୁରୁତର ଭାବରେ ବାଧାପ୍ରାପ୍ତ କରିଛି। ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚେନ୍ନାଇ ଏବଂ ଅନ୍ୟାନ୍ୟ ପ୍ରଭାବିତ ଜିଲାଗୁଡ଼ିକରେ ବିମାନ ଏବଂ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଏପରିକି ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାର ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଦଳ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହଛି। ଏପରିକି ପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରିଛି।