କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଭଳିସ୍ଥିତିରେ ସୋମବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ହସ୍ପିଟାଲରେ ପହଞ୍ଚି ଚିକତ୍ସାଧୀନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ମଙ୍ଗଳବାର କେନ୍ଦୁଝର ଏମ୍ପି ଅନନ୍ତ ନାୟକ ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଏପରିକି ଏମ୍ପି ନାୟକ ଡାକ୍ତରଙ୍କ ସହ ଆଲୋଚନା କରି ଆହତମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଘୂର୍ଣ୍ଣି ଝଡ଼ ପ୍ରଭାବିତ ପରିବାରଙ୍କ ପ୍ରତି ସରକାର ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଏମ୍ପି କହିଛନ୍ତି। ଏନେଇ ମେଡିକାଲ କଲେଜର ସୁପରିଟେଡେଣ୍ଟ ଡାକ୍ତର ମହେନ୍ଦ୍ର କୁମାର ନାୟକ କହିଛନ୍ତି, ୧୦ ଜଣ ଆହତ ହୋଇ ହସ୍ପିଟାଲକୁ ଆସିଥିଲେ। ସେଥିରୁ ଅଧିକ ଚିକିତ୍ସା ପାଇଁ ୫ଜଣଙ୍କୁ କଟକ ପଠାଯାଇଛି। ଅନ୍ୟ ୫ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଠିକ୍ ଥିବା ସେ କହିଛନ୍ତି