ପଶ୍ଚିମବଙ୍ଗ ଅଟୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଭଦ୍ରକ,୧୭।୧୧(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଉତୁକୁଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ସାଇକେଲ ଆରୋହୀ ଉତୁକୁ ଗ୍ରାମର ଅରୁଣ କୁମାର ବେହେରା ବୋଲି ଜଣାପଡିଛି l

ସୋମବାର ସକାଳେ ଅରୁଣ କୌଣସି କାର୍ଯ୍ୟରେ ନିକଟସ୍ଥ ବଜାରକୁ ଯାଉଥିଲେ। ସେତିକିବେଳେ ପଛପଟୁ ଏକ ଅଟୋ ସାଇକେଲକୁ ଧକ୍କା ଦେଇଥିଲା। ସେ ରାସ୍ତା ଉପରେ ଛଟିକି ପଡ଼ିଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଅଟୋଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଚାନ୍ଦବାଲି ପୋଲିସ ଅଟୋକୁ ଜବତ କରିଥିବା ବେଳେ ଚାଳକଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ହେଲେ ଅଟୋ ଚାଳକ ଜଣକ ଘଟଣା ପରେ ଫେରାର ହୋଇଯାଇଛନ୍ତି। ମୃତ ଅରୁଣ ଗରିବ ପରିବାରର ହୋଇଥିବା ବେଳେ ରୋଷେୟା ଭାବେ କାମ କରି ପରିବାର ଚଳାଉଥିଲେ। ସ୍ତ୍ରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଦୁଇ ଛୋଟ ପୁଅ ଅଛନ୍ତି। ଅରୁଣଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।