ମୁମ୍ବାଇ,୪ା୧୦:ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଝିଅ ଏକଦା ଅନ୍ଲାଇନ ଭିଡିଓ ଗେମ୍ ଖେଳୁଥିବାବେଳେ ତାଙ୍କୁ ନ୍ୟୁଡ୍ ଫଟୋ ମଗାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିବା ସାଇବର ସୁରକ୍ଷା ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅକ୍ଷୟ ଏହା ପ୍ରଘଟ କରିଛନ୍ତି। ଶୁକ୍ରବାର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅକ୍ଷୟ କହିଛନ୍ତି, ରାସ୍ତାଘାଟରେ ଘଟୁଥିବା ଅପରାଧଠାରୁ ସାଇବର କ୍ରାଇମ୍ ବହୁଗୁଣରେ ବଢ଼ିଚାଲିଛି। କିଛି ମାସ ତଳେ ତାଙ୍କ ସ୍ବଳ୍ପବୟସ୍କା ଝିଅ ଏକ ଅନ୍ଲାଇନ ଗେମ୍ ଖେଳୁଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପ୍ରଥମେ ଭଦ୍ର ବ୍ୟବହାର ଦେଖାଇଥିଲେ ଓ ମେସେଜିଂ ପାଇଁ ଉତ୍ସାହିତ କରିଥିଲେ। କିଛି ଦିନ ପରେ ସେହି ବ୍ୟକ୍ତି ଅକ୍ଷୟଙ୍କ ଝିଅଙ୍କୁ ପ୍ରଶଂସା କରିବା ସହ ତୁମେ ପୁରୁଷ ନା ମହିଳା ବୋଲି ପ୍ରଶ୍ନ କରିଥିଲେ। ବାସସ୍ଥାନ ପଚାରିବାରୁ ଝିଅ ମୁମ୍ବାଇ ବୋଲି ଉତ୍ତର ଦେଇଥିଲେ। ଆଉ ଦିନେ ଖେଳ ଶେଷରେ ତାଙ୍କୁ ଉଲଗ୍ନ ଫଟୋ ପଠାଇବାକୁ କହିଥିଲେ। ଏହା ଶୁଣିବା ପରେ ଅକ୍ଷୟଙ୍କ ଝିଅ ଚକିତ ହୋଇପଡ଼ିଥିଲେ। ସେ ତତ୍କ୍ଷଣାତ ନିଜ ମୋବାଇଲ୍କୁ ସୁଇଚ୍ ଅଫ୍ କରି ମା’ଙ୍କୁ ସବୁକଥା ଜଣାଇଥିଲେ। ବର୍ତ୍ତମାନର ଡିଜିଟାଲ ଦୁନିଆରେ ବନ୍ଧୁତା ଆଳରେ କିପରି ସାଇବର ଅପରାଧ ଘଟିଚାଲିଛି ଏବଂ ସେଥିରୁ ପିଲାଙ୍କୁ ମୁକ୍ତ କରାଯାଇପାରବ, ସେନେଇ ଲୋକଙ୍କୁ ସତର୍କ ଓ ସଚେତନ କରାଇବା ସକାଶେ ଅଭିନେତା ତାଙ୍କ ଝିଅ ସହ ବିତିଥିବା ଏହି ଘଟଣାର ଅବତାରଣା କରିଛନ୍ତି। ଏଥିସହ ସାଇବର ଅପରାଧ ସମ୍ପର୍କରେ ଶିକ୍ଷାଦାନକୁ ଜୋର୍ ଦେଇ ସପ୍ତମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ଗୋଟିଏ ସାଇବର ନିରାପତ୍ତା ପରିୟଡ୍ ରଖିବା ପାଇଁ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।