ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର

ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା ମହକୁମାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା। ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏ ନେଇ ଜିଲା ପୋଲିସ ପକ୍ଷରୁ ଚାଲିଛି ପ୍ରସ୍ତୁତି।

ଏହି ସାଇବର ଥାନା ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଏସ୍‌ଡିପିଓ କାର୍ଯ୍ୟାଳୟ ପରିସରରେ ହେବ ବୋଲି ସୂଚନା ମିଳିଛି। ସାଇବର ଥାନା ପାଇଁ ଗୃହର ମରାମତି ଚାଲିଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ଭାବେ ଏହା କାର୍ଯ୍ୟକ୍ଷମ ହେବ। ଏଥିରେ ଜଣେ ଇନ୍‌ସ୍ପେକ୍ଟର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ ରହିବେ ।

ଏହାବ୍ୟତୀତ ଜଣେ ଅତିରିକ୍ତ ଇନ୍‌ସ୍ପେକ୍ଟର, ଜଣେ ସବ ଇନ୍‌ସ୍ପେକ୍ଟର, ଜଣେ ଏଏସ୍‌ଆଇ ଏବଂ ୪ଜଣ କନଷ୍ଟେବଳ ଦାୟିତ୍ୱରେ ରହିବେ। ଏଥିସହିତ ସାଇବର ଅପରାଧ ଉପରେ ନଜର ରଖିବା ଏବଂ ଯାଞ୍ଚ ଆଦି କରିବା ପାଇଁ ଏଏସଆଇ(ସିଗନାଲ) ୨ଜଣ ରହିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜିଲା ପୋଲିସ କାର୍ଯ୍ୟାଳୟ ଭିତରେ ସାଇବର ସେଲ୍‌ କାର୍ଯ୍ୟକ୍ଷମ ରହିଛି। ତେବେ ରାୟଗଡ଼ା ଜିଲାରେ ସ୍ବତନ୍ତ୍ର ସାଇବର ଥାନା କାର୍ଯ୍ୟକ୍ଷମ ହେଲେ ସାଇବର ଠକେଇର ଶିକାର ହେଉଥିବା ଲୋକେ ସିଧାସଳଖ ଭାବେ ସେଠାରେ ଅଭିଯୋଗ କରିପାରିବେ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ ହୋଇପାରିବ ବୋଲି ଆଶାବାଦୀ ରହିଛନ୍ତ।