Categories: ଅନୁଗୋଳ

ମାତିଲେ ସାଇବର ଠକ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍‌ କାର୍ଡ କାର୍ଯ୍ୟକ୍ଷମ କରାଇବାକୁ କହି ରେଲଓ୍ବେ କର୍ମଚାରୀଙ୍କ ଆକାଉଣ୍ଟରୁ ଅଭିଯୁକ୍ତମାନେ ୫୪ ହଜାର ଟଙ୍କା ନେଇଯାଇଛନ୍ତି। ସେହିପରି କାଳିଆ ଟଙ୍କା କରାଇଦେବାକୁ କହି କୌଶଳକ୍ରମେ ତଥ୍ୟ ସଂଗ୍ରହ କରି ଜଣେ ମହିଳାଙ୍କଠାରୁ ୮୦୦୦ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।
ଅନୁଗୋଳ ରାଣୀଗୋଡ଼ା ରେଲଓ୍ବେ କଲୋନୀରେ ରହୁଥିବା କର୍ମଚାରୀ ଦଶରଥ ମହନ୍ତ (୪୦) ସାଇବର ଠକେଇର ଶିକାର ହୋଇଛନ୍ତି। ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ମହିଳା ତାଙ୍କ ଆକାଉଣ୍ଟରୁ ୫୪ ହଜାର ୭୦୨ ଟଙ୍କା ନେଇଯାଇଛନ୍ତି। ଏ ନେଇ ଦଶରଥ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି। ଦଶରଥଙ୍କ ନାମରେ ଇସ୍ୟୁ ହୋଇଥିବା ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ କାର୍ଯ୍ୟକ୍ଷମ ହୋଇ ନ ଥିଲା। ଗତ ୨୬ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ ଆସିଥିଲା। ସାଇବର ଠକ ଜଣକ ନିଜକୁ ଏସବିଆଇ କ୍ରେଡିଟ୍‌ କାର୍ଡ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। କାର୍ଡ ଚାଲୁ କରିବାକୁ ହେଲେ ବ୍ୟାଙ୍କ ତଥ୍ୟ ଦେବାକୁ କହିଥିଲେ। ଏଥିରେ ବିଶ୍ୱାସ କରି ଦଶରଥ ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୫୪ ହଜାର ୭୦୨ ଟଙ୍କା ଗାଏବ ହୋଇଯାଇଥିଲା।
ସେହିପରି ଅନୁଗୋଳ ସଦର ଥାନା ବାରିସିଂହା ଅଞ୍ଚଳର ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି। କାଳିଆ ଯୋଜନାରେ ଟଙ୍କା ମିଳିବା କହି ଜଣେ ବ୍ୟକ୍ତି ତାଙ୍କ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ଆକାଉଣ୍ଟରୁ ୮ ହଜାର ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ବୁଧବାର ପୂର୍ବାହ୍ନରେ ମହିଳାଙ୍କ ଘରେ ସୁବଳ ନାମକ ଜଣେ ଯୁବକ ପହଞ୍ଚତ୍ଥିଲେ। କାଳିଆ ଯୋଜନାରେ ଟଙ୍କା କରାଇ ଦେବାକୁ କହି ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌, ମୋବାଇଲ ନମ୍ବର, ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିନେଇଥିଲେ। ସପ୍ତାହକ ମଧ୍ୟରେ କାଳିଆ ଟଙ୍କା ମିଳିବ ବୋଲି କହିଥିଲେ। ଉକ୍ତ ଦିନ ଅପରାହ୍ନରେ ଟଙ୍କା ଆବଶ୍ୟକତା ଥିବାରୁ ମହିଳା ଗ୍ରାମରେ ଥିବା ବ୍ୟାଙ୍କ୍‌ ଅଫ୍‌ ବରୋଦାକୁ ଯାଇଥିବାବେଳେ ତାଙ୍କ ଆକାଉଣ୍ଟରୁ ୮୦୦୦ ଟଙ୍କା କଟିଥିବା ଜଣାପଡ଼ିଥିଲା। ପୋଲିସ ଉଭୟ ଘଟଣାର ତଦନ୍ତ କରୁଛି।