ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ ବୁଗୁଡ଼ା ଥାନା ପୋଲିସ ଏବେ ଏକ ସାଇବର ଠକେଇ ନେଟ୍ଓ୍ବର୍କର ପର୍ଦ୍ଦାଫାଶ କରି ୨ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଠକ ଦ୍ବୟ ଆସିକା ଥାନା ଅନ୍ତର୍ଗତ ଫାପଲପୁର ଗ୍ରାମର ମନୋଜ କୁମାର ସ୍ବାଇଁ(୩୨) ଓ ଅଶ୍ବିନୀ କୁମାର ରାଉତ (୨୪) ହୋଇଥିବା ବେଳେ ସେ ଦ୍ବୟଙ୍କ ବିରୋଧରେ ଯଥାକ୍ରମେ କେସ୍ ନଂ ୮୧/୨୬ ଓ ୮୨/୨୬ ରେ ଦୁଇଟି ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।
ପ୍ରକାଶ ଯେ, ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ ବ୍ୟବହୃତ ଆକାଉଣ୍ଟ ସମ୍ପର୍କରେ ଗଞ୍ଜାମ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକା ଆଧାରରେ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡ୍ଡୀ ଏବଂ ଅନ୍ୟ କେତେକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପ୍ରକ୍ରିୟା କାଳରେ ଅନେକ ବ୍ୟାଙ୍କ ଆକାଉଣ୍ଟରୁ ୩୦ ଲକ୍ଷ ଟଙ୍କାର ଠକେଇ କାରବାର ଠାବ କରାଯିବା ସହ ସାଇବର ଠକ ବ୍ୟାଙ୍କ ପାସ୍ବୁକ୍, କାରବାର ବିବରଣୀ, ମୋବାଇଲ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରାଯାଇଛି। ଏଥିସହ ଯାଞ୍ଚ ସମୟରେ ଏହି ସାଇବର ଠକେଇ ନେଟ୍ଓ୍ବର୍କର ଅନ୍ୟତମ ଅଂଶୀଦାର ଭାବେ ଝାଡ଼ଖଣ୍ଡର ରାହୁଲ କୁମାର ମଣ୍ଡଳ ଓ ଉମେଶ କୁମାର ମଣ୍ଡଳଙ୍କୁ ଚିହ୍ନଟ କରାଯାଇଛି। ତେବେ ପୋଲିସ ଆଇନ ଅନୁଯାୟୀ ଗିରଫ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରି ଏହି ସାଇବର ଠକେଇ ଅପରାଧର ଚେର କେଉଁ ପର୍ଯ୍ୟନ୍ତ ଲମ୍ବି ରହିଛି ସେନେଇ ପୋଲିସ ତା’ର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।