ରାଜ୍ୟରେ ବଢ଼ୁଛି ସାଇବର ଅପରାଧ: ଡିଜିଟାଲ୍‌ ଆରେଷ୍ଟର ଶିକାର ହେଲେ କୁଳପତି

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର(ସୁନିତ୍‌ ମିଶ୍ର),୨୬ା୨:ଗଞ୍ଜାମ ଜିଲାରେ ସାଇବର ଅପରାଧୀମାନେ ଜାଲ ବିଛାଇ ଚାଲିଛନ୍ତି। ବିଭିନ୍ନ ଆଳରେ ଏହି ଅଦୃଶ୍ୟ ଠକ ଗ୍ୟାଙ୍ଗ୍‌ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ସେ ଛାତ୍ର ହୁଅନ୍ତୁ କିମ୍ବା ଚାକିରିଆ କେହି ବି ଠକଙ୍କ କବଳରୁ ମୁକୁଳିପାରୁନାହାନ୍ତି। ବିଗତ ଦିନରେ ବ୍ୟାଙ୍କ କର୍ମଚାରୀ, ଅଧ୍ୟାପକ, ଡାକ୍ତର, ନର୍ସ, ଯୁବତୀଯୁବକମାନେ ଠକଙ୍କ ଜାଲରେ ପଡ଼ିଥିବାବେଳେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର ହୋଇଥିବା ସାମ୍ନାକୁ ଆସିଛି। ଠକ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ବୋଲି ଭୟ ଦେଖାଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ.୧୫/୨୫ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, କୁଳପତି ଦାଶଙ୍କ ମୋବାଇଲ ଫୋନକୁ ଗତ ୧୨ ତାରିଖରେ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଇଡି ଅଫିସର ବୋଲି ପରିଚୟ ଦେଇଥିଲେ। ଇଡି ତରଫରୁ ହୋଇଥିବା ଏକ ମାମଲାରେ କୁଳପତି ଦାଶଙ୍କ ନାମ ରହିଥିବା ବେଳେ ଉକ୍ତ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସେ କହିଥିଲେ । କନାରା ବ୍ୟାଙ୍କରେ ତାଙ୍କ ନାମରେ ଏକ ଆକାଉଣ୍ଟ ଖୋଲାଯାଇ ସେଥିରେ ବହୁ କୋଟି ବେଆଇନ ଟଙ୍କା ଜମା କରାଯାଇଛି। ତେଣୁ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଛି ବୋଲି ନକଲି ଅଫିସର ଜଣଙ୍କ କୁଳପତି ଦାଶଙ୍କୁ କହିଥିଲେ। ଡିଜିଟାଲ ଆରେଷ୍ଟ ନଁା ଶୁଣିବା ପରେ କୁଳପତି ଭୟଭୀତ ହୋଇଯାଇଥିଲେ। ଏଥିରୁ ମୁକୁଳିବାକୁ ହେଲେ ୧୪ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସାଇବର ଗ୍ୟାଙ୍ଗ୍‌ କହିଥିଲେ। ପରେ ସେ ଠକ ଗ୍ୟାଙ୍ଗ୍‌ ଦେଇଥିବା ଆକାଉଣ୍ଟରେ ନିଜ ଆକାଉଣ୍ଟର ଚେକ୍‌ ଜରିଆରେ ୧୪ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। କୁଳପତି ଠକେଇର ଶିକାର ହୋଇଥିବା ଜାଣିପାରି ପରେ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ କୁଳପତିଙ୍କ ବିଭିନ୍ନ ମୋବାଇଲ ଫୋନରେ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।
ପ୍ରକାଶ ଯେ, ରାଜ୍ୟରେ ୨୦୨୧, ୨୦୨୨ ଏବଂ ୨୦୨୩ରେ ମୋଟ ୬,୩୬୮ ସାଇବର ଠକେଇ ଅପରାଧ ନେଇ ମାମଲା ରୁଜୁକରାଯାଇଛି। ଏହା ଉପରେ ଅନୁଧ୍ୟାନ କଲେ ସାଇବର ଅପରାଧ ମାମଲା ପ୍ରତିବର୍ଷ ବୃଦ୍ଧି ପାଉଥିବା ନଜରକୁ ଆସିଛି। ୨୦୨୧ରେ ରାଜ୍ୟରେ ମୋଟ୍‌ ୨,୦୩୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି। ୨୦୨୧ ତୁଳନାରେ ୨୦୨୨ରେ ମାତ୍ର ୫୫ଟି ମାମଲା କମ୍‌ ହୋଇଛି। ଏହିବର୍ଷ ରାଜ୍ୟରେ ମୋଟ୍‌ ୧,୯୮୩ଟି ମାମଲା ସାଇବର ଅପରାଧ ନେଇ ରୁଜୁ କରାଯାଇଛି। ହେଲେ ୨୦୨୩ରେ ରାଜ୍ୟରେ ମୋଟ୍‌ ୨,୩୪୮ଟି ସାଇବର ଆପରାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ କରାଯାଇଛି; ଯାହାକି ୨୦୨୧ ତୁଳନାରେ ୩୧୧ ଏବଂ ୨୦୨୨ ତୁଳନାରେ ୩୬୫ଟି ଅଧିକ ମାମଲା ରୁଜୁ ହୋଇଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ୩ ବର୍ଷ ଭିତରେ ୬,୩୬୮ଟି ସାଇବର ଅପରାଧ ମାମଲାରେ ଗିରଫଦାରି ସଂଖ୍ୟା ବହୁତ କମ୍‌ ରହିଛି। ୬,୩୬୮ଟି ମାମଲାରେ ମୋଟ ୧୩୮୮ ଜଣଙ୍କୁ ଗିରଫ କରାଯାଇଛି। ୨୦୨୧୧ରେ ୪୨୫, ୨୦୨୨ରେ ୪୪୧ ଏବଂ ୨୦୨୩ରେ ୫୨୨ ଜଣଙ୍କୁ ଏହିସବୁ ମାମଲାଗୁଡିକରେ ଗିରଫ କରାଯାଇଛି। ଆହୁରି ଚିନ୍ତାଜନକ ବିଷୟ ହେଉଛି ପ୍ରତ୍ୟେକ ବର୍ଷ ସାଇବର ଠକେଇରେ ଅଧିକ ପରିମାଣର ଅର୍ଥରାଶି ହଡ଼ପ ହେଉଛି। ୨୦୨୧ରେ ମୋଟ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କାର ଅର୍ଥ ରାଶି ଠକେଇ କରାଯାଇଥିବାବେଳେ ୨୦୨୨ରେ ଏହି ରାଶି ୩୭ କୋଟି ୨୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ରହିଛି। ୨୦୨୧ ତୁଳନାରେ ୩ କୋଟି ୧୦ ଲକ୍ଷ ୭୩ ହଜାର ୫୩୨ ଟଙ୍କା କମ୍‌ ଅର୍ଥ ରାଶି ହଡ଼ପ ହୋଇଛି। ହେଲେ ୨୦୨୩ରେ ମୋଟ୍‌ ୪୭ କୋଟି ୯୪ ଲକ୍ଷ ୫୦ ହଜାର ୧୭୮ ଟଙ୍କାର ଅର୍ଥ ରାଶି ହଡ଼ପ କରାଯାଇଛି। ଏହା ୨୦୨୨ ତୁଳନାରେ ୧୦ କୋଟି ୬୫ ଲକ୍ଷ ୫୩ ହଜାର ୧୯୬ ଟଙ୍କା ଅଧିକ । ସେହିପରି ୨୦୨୧ ତୁଳନାରେ ୨୦୨୩ରେ ୭ କୋଟି ୫୪ ଲକ୍ଷ ୭୯ ହଜାର ୬୬୪ କୋଟି ଟଙ୍କା ଅଧିକ ହଡ଼ପ ହୋଇଛି।
ପ୍ରତିବର୍ଷ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାର ୨୦୧୩ ଏପ୍ରିଲ ୧ରୁ ପଦକ୍ଷେପ ନେଉଥିବା କଥା ଦର୍ଶାଇଛନ୍ତି। ଏହି ଅପରାଧ ରୋକିବା ସକାଶେ ସରକାର ସାଇବର କ୍ରାଇମ ଶାଖା, ସାଇବର କ୍ରାଇମ ୟୁନିଟ୍‌ ମଧ୍ୟରେ ଅନେକ ବିଶେଷ ସବ୍‌ ୟୁନିଟ୍‌ ପ୍ରତିଷ୍ଠା କରିଥିବା କହୁଛନ୍ତି। କେବଳ ସେତିକି ନୁହେଁ, ସରକାର ବିଧାନସଭା ଉତ୍ତରରେ ଆହୁରି ଦର୍ଶାଇଛନ୍ତି, ସାଇବର ଅପରାଧ ରୋକିବା ଲାଗି ୧୯୩୦ ସାଇବର ଅପରାଧ ହେଲ୍‌ପଲାଇନ, ସୋସିଆଲ ମିଡିଆ ୟୁନିଟ୍‌, ଶିଶୁ ଓ ମହିଳା ଅନ୍‌ଲାଇନ ଅପବ୍ୟବହାର ମନିଟରିଂ ବିଭାଗ, ସାଇବର ତଦନ୍ତ ବିଭାଗ ଆଦି ଖୋଲିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ଟି ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଥାନା ଭୁବନେଶ୍ୱର ସହରାଞ୍ଚଳ, କଟକ ସହରାଞ୍ଚଳ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳଠାରେ ପ୍ରତିଷ୍ଠା ହୋଇଛି। ଏହିଭଳି ବହୁ ମାତ୍ରାରେ ସାଇବର ଅପରାଧ ରୋକିବା ଲାଗି ସରକାର ବ୍ୟବସ୍ଥା ଗ୍ରହଣ କରିଥିବା ବିଷୟରେ ସୂଚନା ଦେଇଥିଲେ ସୁଦ୍ଧା ଏହି ସମ୍ବନ୍ଧୀୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଚାଲିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସରକାରଙ୍କ ସଚେତନତା ଲୋକଙ୍କ ପାଇଁ ସେତେ ମାତ୍ରାରେ କାମ ଦେଉ ନ ଥିବା ସାଇବର ବିଶେଷଜ୍ଞମାନେ ମଧ୍ୟ ମତ ରଖିବା ଆରମ୍ଭ କରିଛନ୍ତି।