ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ। ନିଜକୁ କେତେବେଳେ ବ୍ୟାଙ୍କ ମ୍ୟାନେଜର ତ ପୁଣି ଆଉ କେତେବେଳେ ଏଲ୍‌ଆଇସି ଅଧିକାରୀ କହି ଅନ୍‌ଲାଇନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ୨ ସାଇବର ଠକଙ୍କୁ ଶେଷରେ ଭୁବନେଶ୍ୱର ସାଇବର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ସୁପ୍ରଭାତ ମହାପାତ୍ର ଓ ସହଯୋଗୀ ଚନ୍ଦନପୁର ଥାନା ଅଞ୍ଚଳର ସୁଶାନ୍ତ ବାରିକ। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ୍‌ ଓ କିଛି ସିମ୍‌ କାର୍ଡ ଜବତ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୨ ଲକ୍ଷ ୨୫ ହଜାର ଟଙ୍କା ଫ୍ରିଜ୍‌ କରିଛି ସାଇବର ଥାନା ପୋଲିସ। ଅଭିଯୁକ୍ତ ସୁଶାନ୍ତ ଲୋକଙ୍କ ଆଧାର କାର୍ଡ ଜରିଆରେ ସେମାନଙ୍କ ଅଜାଣତରେ ପ୍ରି ଆକ୍ଟିଭେଟ୍‌ ସିମ୍‌ ବାହାର କରି ର଼୍ୟାକେଟ ମୁଖ୍ୟ ସୁପ୍ରଭାତଙ୍କୁ ଦେଇ କିଛି କମିଶନ ପାଇଥାନ୍ତି। ସୁପ୍ରଭାତ ଉକ୍ତ ସିମ୍‌ ଦ୍ୱାରା ଲୋକଙ୍କ ପାଖକୁ କଲ୍‌ କରି ନାନା ଉପାୟରେ ଠକେଇ କରିଥାନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସୁପ୍ରଭାତ ଜଣେ ଡିପ୍ଲୋମା ଛାତ୍ର ବୋଲି ତଦନ୍ତବେଳେ ଜଣାପଡିଛି। ତାଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୧ଟି ଆପରାଧିକ ମାମଲା ରହିଥିବା ସାଇବର ଥାନା ପୋଲିସ କହିଛି।

ସୂଚନାନୁଯାୟୀ, ଠକେଇର ଶିକାର ବ୍ୟକ୍ତିଜଣକ ହେଲେ ଦିଲୀପ କୁମାର ଭଞ୍ଜ। କିଛିଦିନ ତଳେ ସେ ଫାୟାରଷ୍ଟେଶନରୁ ସିଆର୍‌ପି ଛକକୁ ଯାଉଥିବା ସମୟରେ ଏକ ଅଜଣା ନମ୍ବରରୁ ଅଭିଯୁକ୍ତ ସୁପ୍ରଭାତ କଲ୍‌ କରିଥିଲେ। ସେ ନିଜକୁ ଜଣେ ବ୍ୟାଙ୍କ ଅଧିକାରୀ କହି ଦିଲୀପଙ୍କ ସହ କଥା ହୋଇଥିଲେ। ଏହାପରେ ଏଲ୍‌ଆଇସିର ଏକ ଚେକ୍‌ ଅଛି ଓ ଚେକ୍‌ ପାଇବାକୁ ହେଲେ ଅନ୍‌ଲାଇନରେ ଟଙ୍କା ପଠାଇବାକୁ ପଡିବ ବୋଲି ଦିଲୀପଙ୍କୁ କହିଥିଲେ। ଦିଲୀପ ଏଲ୍‌ଆଇସି ପଲିସି କରିଥିବାରୁ ଅଭିଯୁକ୍ତ କଥାକୁ ବିଶ୍ୱାସ କରି ସୁପ୍ରଭାତଙ୍କ କହିବା ମୁତାବକ ସରୋଜ କୁମାରଙ୍କ ନାମରେ ଥିବା ୮୮୭୩୦୭୬୦୬୮ ନମ୍ବରକୁ ଫୋନ୍‌-ପେ ମାଧ୍ୟମରେ ଦୁଇଟି କିସ୍ତିରେ ୧ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ସେ ବ୍ୟାଙ୍କ ଯାଇ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ଫୋନ କରିଥିବା ବ୍ୟକ୍ତି ଜଣକ କୌଣସି ବ୍ୟାଙ୍କ ଅଧିକାରୀ ନୁହନ୍ତି। ତେଣୁ ସେ ଠକେଇର ଶିକାର ହେବା ଜାଣିବା ପରେ ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ତଦନ୍ତ କରି ପୁରୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।