ଏସ୍‌ବିଆଇର ସାଇବର ସଚେତନତା

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳରେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ବିଭିନ୍ନ ରାଜ୍ୟର ୭୪ ଜଣ ବ୍ୟାଙ୍କ ପ୍ରୋବେସନାରୀ ଅଫିସର(ବ୍ୟାଙ୍କ ପିଓ)ଙ୍କୁ ନେଇ ଏକାମ୍ର ଐତିହ୍ୟ କ୍ଷେତ୍ରରେ ଏକ ସାଇବର ସଚେତନତା ପଦଯାତ୍ରା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏସବିଆଇରେ ନୂତନ ଭାବେ ଯୋଗ ଦେଇଥିବା ଯୁବ ଅଧିକାରୀମାନଙ୍କୁ ନେଇ ସମାଜର ବିଭିନ୍ନ ବର୍ଗ ସାଇବର୍‌ ଠକେଇରେ ଶିକାର ହେଉ ଥିବାରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସେହିଭଳି ଏହି ଯୁବ ଅଧିକାରୀମାନେ ଭୁବନେଶ୍ୱରର ପର୍ଶୁରାମେଶ୍ୱର, ମୁକ୍ତେଶ୍ୱର, କେଦାରଗୌରୀ, କୋଟିତୀର୍ଥ ମାର୍ଗ ଦେଇ ବିନ୍ଦୁସାଗର, ଅନନ୍ତ ବାସୁଦେବ, ଲିଙ୍ଗରାଜ ମନ୍ଦିର ମାର୍ଗ ସମ୍ମୁଖସ୍ଥ ଦେବୀ ପାଦହରା ପୁଷ୍କରିଣୀ ନିକଟରେ ସଚେତନତା ଯାତ୍ରା ଶେଷ କରିଥିଲେ। ସେହିପରି ପାହାଳସ୍ଥିତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ କରାଯାଇଥିଲାବେଳେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମନୋରଞ୍ଜନ ଶତପଥୀଙ୍କ ସମେତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନୋଜ କୁମାର ସିଂହ, ମଣ୍ଡଳ ବିକାଶ ଅଧିକାରୀ, ପ୍ରଧାନ କାର୍ଯ୍ୟାଳୟ, ପ୍ରଶାନ୍ତ କୁମାର, ଉପ-ମହାପ୍ରବନ୍ଧକ, ଭୁବନେଶ୍ୱର ଜୋନ ପ୍ରମୁଖ ଯୋଗଦେଇ ଯୁବ ଅଧିକାରୀମାନଙ୍କୁ ପରିବେଶ ଓ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ତଥା ସାଇବର ଠକେଇ ରୋକିବା ନିମନ୍ତେ ଆବଶ୍ୟକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ବିସ୍ତୃତ ପରାମର୍ଶ ଦେଇଥିଲେ।