Categories: Home Leftଖେଳ

ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ

ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମେଗା ଅକ୍‌ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ପ୍ରତ୍ୟେକ ବର୍ଷ ଲିଗ୍‌ ଲାଗି ଏକ ସ୍ପେଶାଲ ଓ୍ବିଣ୍ଡୋ ନିଶ୍ଚିତ କରିଛି ଏହି ବୋର୍ଡ।

“ସିଡବ୍ଲ୍ୟୁଆଇ ପ୍ରତ୍ୟେକ ବର୍ଷ ଆଇପିଏଲ ପାଇଁ ଏକ ସ୍ପେଶାଲ ଓ୍ବିଣ୍ଡୋ ଗ୍ୟାପ୍‌ ରଖିଛି। ଏ ସମ୍ପର୍କରେ ଖେଳାଳିଙ୍କ କଣ୍ଟ୍ରାକ୍ଟରେ ଉଲ୍ଲେଖ କରାଯାଇଛି। ଫଳରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଲାଗି ସମ୍ପୂର୍ଣ୍ଣ ଉପଲବ୍ଧ ହେବେ। ଚଳିତ ବର୍ଷ ଆଇପିଏଲ ୨୦୨୨ ଅପ୍ରିଲ ଓ ମେ’ ମଧ୍ୟରେ ହେବାକୁ ଯାଉଛି” ବୋଲି ବୋର୍ଡ ପକ୍ଷରୁ ସୋମବାର ଏକ ବିବୃତିରେ କୁହାଯାଇଛି।

ଗତ ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁଠାରେ ଆୟେଜିତ ମେଗା ଇଭେଣ୍ଟରେ ୧୪ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବିଭିନ୍ନ ଦଳରେ ସ୍ଥାନ ମିଳିଛି। ପୂର୍ବରୁ ୩ ଖେଳାଳିଙ୍କୁ ରିଟେନ ରଖାଯାଇଥିଲା। ଫଳରେ ସର୍ବାଧିକ ୧୭ ଓ୍ବେଷ୍ଟଇଣ୍ଡିଜ ଖେଳାଳି ଚଳିତ ବର୍ଷ ଆଇପିଏଲରେ ଖେଳିବେ। ଅନ୍ୟ ଯେକୌଣସି ଦେଶର ଖେଳାଳିଙ୍କ ଅପେକ୍ଷା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ସଂଖ୍ୟା ସର୍ବାଧିକ।