ତୁମ ଉପରେ ଯମୁନା ମୈୟାଙ୍କ ଅଭିଶାପ ପଡିଲା… ଇସ୍ତଫା ଦେବାବେଳେ ଆତିଶୀଙ୍କୁ ଏଭଳି କଥା କହିଦେଲେ ଲେଫ୍ଟନାଣ୍ଟ ଗଭର୍ନର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ରାଜଭବନ ଯାଇ ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯମୁନାର ପ୍ରଦୂଷଣକୁ ନେଇ ଏଲଜି ଭିକେ ସକ୍ସେନା ତାଙ୍କ ଉପରେ କଟାକ୍ଷ କରିଛନ୍ତି। ଏଲଜି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ତୁମକୁ ଯମୁନା ମୈୟାଙ୍କ ଅଭିଶାପ ପଡିଲା। ଯମୁନା ନଦୀକୁ ସଫା କରିବା ପାଇଁ ସରକାରଙ୍କୁ ସକ୍ରିୟ ପଦକ୍ଷେପ ନେବା ଉଚିତ ଥିଲା।

ସୂତ୍ର ଅନୁସାରେ, ଏଲଜି ସକ୍ସେନା ଆତିଶୀଙ୍କୁ କହିଥିଲେ, ସୁପ୍ରିମକୋର୍ଟ ଦ୍ୱାରା ନଦୀ ସଫା କରିବାର ଏକ ପ୍ରକଳ୍ପ ବନ୍ଦ କରିବା ପରେ ସେ ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ‘ଯମୁନାର ଅଭିଶାପ’ ବିଷୟରେ ମଧ୍ୟ ଚେତାବନୀ ଦେଇଥିଲେ। ତଥାପି, ଆତିଶୀ ଏଲ୍‌ଜିଙ୍କ ସମ୍ମୁଖରେ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଏହି ବିବାଦ ଦୁଇ ବର୍ଷ ପୁରୁଣା। ଜାନୁଆରୀ ୨୦୨୩ରେ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଯମୁନାର ପ୍ରଦୂଷଣ ହ୍ରାସ କରିବା ପାଇଁ ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟି କାମ ଆରମ୍ଭ କରିବା ମାତ୍ରେ କେଜରିୱାଲ ତାଙ୍କର ସମର୍ଥନ ପ୍ରକାଶ କଲେ ଏବଂ ସହାୟତା ପ୍ରଦାନ କଲେ। ତଥାପି, ଦିଲ୍ଲୀ ସରକାର ପରେ ସୁପ୍ରିମକୋର୍ଟରେ ଏନ୍‌ଜିଟ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ବରିଷ୍ଠ ଓକିଲ ଏଏମ ସିଂଘଭି ଯୁକ୍ତି ଦେଇଥିଲେ ଯେ, ଜଣେ ଡୋମେନ ବିଶେଷଜ୍ଞ ପ୍ୟାନେଲର ନେତୃତ୍ୱ ନେବା ଉଚିତ। ଏହି ପ୍ରତିବନ୍ଧକ ଦୁଇ ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ କେଜରିୱାଲଙ୍କ ସହ ଏକ ବୈଠକରେ ଭିକେ ସକ୍ସେନା ଆପ ସଂଯୋଜକଙ୍କୁ କହିଥିଲେ ଯେ ତାଙ୍କୁ ଯମୁନାର ଅଭିଶାପର ସମ୍ମୁଖୀନ ହେବାକୁ ପଡିବ।

Share