ମହାରାଷ୍ଟ୍ର ଅଚଲପୁରରେ କର୍ଫ୍ୟୁ

ମୁମ୍ବାଇ,୧୯।୪: ମହାରାଷ୍ଟ୍ରର ଅମରାବତୀ ଜିଲା ଅନ୍ତର୍ଗତ ଅଚଲପୁର ସହରରେ ଧର୍ମୀୟ ପତାକା ହଟାଇବାକୁ କେନ୍ଦ୍ର କରି ରବିବାର ମଧ୍ୟରାତ୍ରରେ ଦୁଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଓ ଢେଲାମାଡ଼ ପରେ ସେଠାରେ କର୍ଫ୍ୟୁ ଜାରି ହୋଇଛି। ସଂଘର୍ଷରେ କେତେଜଣ ଆହତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୨୨ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ପ୍ରତିବର୍ଷ ଉତ୍ସବ ସମୟରେ ଅଚଲପୁରର ମୁଖ୍ୟ ପ୍ରବେଶପଥ ଖିଡ୍‌କି ଗେଟ୍‌ ଏବଂ ଦୁଲ୍‌ହା ଗେଟ୍‌ ଉପରେ ସ୍ଥାନୀୟ ଲୋକେ ବିଭିନ୍ନ ଧର୍ମର ପତାକା ଲଗାଇଥାନ୍ତି। ରବିବାର ରାତିରେ କେତେଜଣ ଅସାମାଜିକ ତତ୍ତ୍ୱ ଉକ୍ତ ଧର୍ମୀୟ ପତାକା ହଟାଇଦେବାରୁ ଏହାକୁ ନେଇ ବଚସାରୁ ସଂଘର୍ଷ ହୋଇଥିଲା। ଠିକ୍‌ ସମୟରେ ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସ ପହଞ୍ଚତ୍ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।