Categories: Home Leftଖେଳ

ସିଏସ୍‌କେ ୩ରୁ ୩

ଆବୁଧାବି,୨୬।୯: ଚଳିତ ଆଇପିଏଲ ସିଜନରେ ଫେଜ-୨ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିଜୟ ଧାରା ଜାରି ରଖିଛି। ୩ରୁ ୩ ମ୍ୟାଚ୍‌ରେ ବିଜୟୀ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ରବିବାର ଆବୁଧାବିରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ରୋମାଞ୍ଚକ ହରାଇ ବିଜୟୀ ହୋଇଛି ଚେନ୍ନାଇ। ଏହି ବିଜୟୀ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ସିଏସ୍‌କେକୁ ଅନ୍ତିମ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା।

୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଚେନ୍ନାଇକୁ ୭୪ ରନ୍‌ର ଭଲ ଆରମ୍ଭ ଦେଇଥିଲେ ରୁଜୁରାଜ ଗାଏକ୍ୱାଡ (୪୦) ଓ ଫାଫ ଡୁ’ପ୍ଲେସି (୪୩)। ମଧ୍ୟକ୍ରମରେ ମୋଇନ ଅଲି ୩୨ ରନ୍‌ର ପାଳି ଖେଳିଥିଲେ। ୨୩ ରନ୍‌ ମଧ୍ୟରେ ୪ ଉଇକେଟ ହରାଇବାରୁ ଦଳ ସଙ୍କଟରେ ପଡ଼ିଯାଇଥିଲା। କିନ୍ତୁ ୧୮ତମ ଓଭରରେ ଅନ୍ତିମ ୪ ବଲରେ ଦୁଇଟି ଲେଖାଏ ଛକା ଓ ଚୌକା ଲଗାଇ ରବୀନ୍ଦ୍ର ଜାଡେଜା ମ୍ୟାଚ୍‌ର ଭାଗ୍ୟ ବଦଳି ଦେଇଥିଲେ। ଏତିକିରେ ଶେଷ ହୋଇ ନ ଥିଲା ଅନ୍ତିମ ଓଭରରେ ସୁନିଲ ନାରିଲ ୨ ଉଇକେଟ ନେବାରୁ ମ୍ୟାଚ୍‌ର ଫଳାଫଳ ଶେଷ ବଲରେ ନିର୍ଣ୍ଣୟ ହୋଇଥିଲା।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ଏକଦା ୫ ଓଭରରେ ୧ ଉଇକେଟ ହରାଇ ୫୦ ରନ୍‌ କରିଥିଲା। ଲାଗୁଥିଲା ଦଳ ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ ଚେନ୍ନାଇର ବୋଲରମାନେ କ୍ରମାଗତ ବ୍ୟବଧାନରେ ଉଇକେଟ ନେଇ କୋଲକାତାକୁ ୧୭୧/୬ରେ ଅଟକାଇ ଦେଇଥିଲେ। କୋଲକାତା ପାଇଁ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ (୨୬) ଓ ନୀତିଶ ରାଣା (୩୭*) ବିସ୍ଫୋରକ ଇନିଂସ ଖେଳିଥିଲେ। ଚେନ୍ନାଇ ପାଇଁ ଜୋଶ ହାଜେଲଉଡ ଓ ଶାର୍ଦ୍ଦୁ ଠାକୁର ନେଇଥିଲେ ୨ ଲେଖାଏ ଉଇକେଟ ।