ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ ମଦ ଭାଟି (ସମାଗୁଡ଼ା) ଠାରେ ବୁଧବାର ସାପ୍ତାହିକ ହାଟରେ ଅଭାବନୀୟ ଜନଗହଳି ଦେଖିବାକୁ ମିଳିଛି। ସକାଳୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ଭିଡ଼ ଜମିଥିବା ବେଳେ, ବଜାରର ଅବ୍ୟବସ୍ଥା ଓ ପ୍ରଶାସନିକ ଉଦାସୀନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପର୍ବ ପାଇଁ ଉତ୍ସାହ, କିନ୍ତୁ ବିପଦ ବେଶି, ଆଗକୁ ଟୋକୀମରା ପର୍ବ ଥିବାରୁ ବୁଧବାର ହାଟରେ କିଣାବିକା ପାଇଁ ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହି ହାଟ ଏବେ ଏକ ଅସୁରକ୍ଷିତ ତଥା ବିପଦପୂର୍ଣ୍ଣ ସ୍ଥାନରେ ବସୁଛି। ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ସରକାରୀ ଅନୁଦାନରୁ ସ୍ୱତନ୍ତ୍ର ବଜାର ପିଣ୍ଡି ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ବ୍ୟବସାୟ କରୁଛନ୍ତି। ଅଭିଯୋଗ ହେଉଛି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୂତନ ବଜାର ପିଣ୍ଡିକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଫଳରେ ଗ୍ରାମପଞ୍ଚାୟତର ରାଜକୋଷକୁ କୌଣସି ଆୟ ଆସୁନାହିଁ। ଏପଟେ ଲୋକେ ନିରାପଦ ସ୍ଥାନ ପାଇବାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତ ପ୍ରଶାସନର ଏଭଳି ଅପାରଗତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହୁଥିବା ଏହି ଭିଡ଼ କୌଣସି ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁନାହିଁ ତୋ ବୋଲି ପ୍ରଶ୍ନ ହେଉଛି। ତେବେ ପର୍ବ ସମୟରେ ଏଭଳି ଅବ୍ୟବସ୍ଥା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଭାବାବେଗକୁ ଆହତ କରୁଥିବା ବେଳେ, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ପିଣ୍ଡିକୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share