ବାର୍ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ ସିଲ୍ କରିବା ସହ ବିଭିନ୍ନ କୂଟନୈତିକ କଟକଣା ଲଗାଇଛନ୍ତି। ଫଳରେ ଏକ ବହୁପ୍ରତୀକ୍ଷିତ ସୀମାପାର ବିବାହ ଅଟକିବା ସହ ରାଜସ୍ଥାନ ବାରମେର ଜିଲାର ପୁଅଘର ପରିବାରର ଆଶା ମଉଳିଯାଇଛି। ବାରମେରର ଜଣେ ଯୁବକ ଆସନ୍ତା ୩୦ରେ ପାକିସ୍ତାନର ଜଣେ ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ବର ଜଣଙ୍କ ଗୁରୁବାର ବାରାତ ନେଇ ଓ୍ବାଘା-ଅଟାରି ସୀମାରେ ପହଞ୍ଚତ୍ଥିଲେ। ତେବେ ସେମାନଙ୍କୁ ପାକିସ୍ତାନରେ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ସେମାନେ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି।
ବାରମେରର ୨୫ ବର୍ଷୀୟ ଶାଇନ୍ତନ ସିଂଙ୍କର ୪ ବର୍ଷ ପୂର୍ବେ ପାକିସ୍ତାନ ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ ଅମରକୋଟ ଜିଲାର କେସାର କନଓ୍ବାରଙ୍କ ସହ ନିର୍ବନ୍ଧ ହୋଇଥିଲା। ଏହା ପରେ ବର ପରିବାର ଦୀର୍ଘଦିନର ଉଦ୍ୟମ କ୍ରମେ ପାକିସ୍ତାନ ଯିବା ପାଇଁ ଗତ ଫେବୃଆରୀରେ ଭିଜା ପାଇଥିଲେ। ଭିଜା ସମୟ ସୀମା ମେ’ ୧୨ ପର୍ଯ୍ୟନ୍ତ ଥିବାରୁ ବିବାହ ତାରିଖ ଏପ୍ରିଲ ୩୦କୁ ଚୂଡ଼ାନ୍ତ ହୋଇଥିଲା। ତେବେ ବାରାତ୍ ଅଟାରି ସୀମା ଅତିକ୍ରମ କରିବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣକୁ ନେଇ କୂଟନୈତିକ କଟକଣା ଜାରି ସ୍ବରୂପ ସୀମା ସିଲ୍ କରିଦିଆଯାଇଥିଲା। ଫଳରେ ବରଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି।