ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ଖରିଫ ଚାଷ ପାଇଁ ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପରୁ ଭୂତଳ ଜଳସେଚନ ପ୍ରକଳ୍ପ କାମ ବନ୍ଦ ରହିଥିଲା। ଠିକା ସଂସ୍ଥା ପକ୍ଷରୁ ପୁଣି କାମ ଆରମ୍ଭ ହୋଇଛି। ହେଲେ ବିନା ସୂଚନାରେ କାମ କରାଯାଉଥିବାରୁ ଜମିରେ ଚାଷ ହୋଇଥିବା ରବି ଚାଷ ଯଥା- ସୋରିଷ, ଡାଲି ଜାତୀୟ ଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ୍ ଅଧୀନ ବୁର୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଚାଷଜମିକୁ ପ୍ରକଳ୍ପରୁ ଜଳସେଚନ ପାଇଁ ଭୂତଳ ପାଇପ ବିଛାଇବା ପାଇଁ କାମ ତ୍ୱରାନ୍ବିତ କରାଯାଇଛି। ଜେସିବି ସାହାଯ୍ୟରେ ଏହି ପ୍ରକଳ୍ପ କାମ କରାଯାଉଛି। ତେବେ ଖରିଫ ଧାନ ଫସଲ ଅମଳ ପରେ ଚାଷୀମାନେ ଚାଷ ଜମିରେ ତୈଳବିଜ ଓ ଡାଲିଜାତୀୟ ଫସଲ କରିଛନ୍ତି। ଭୂତଳ ପ୍ରକଳ୍ପ କାମ ପାଇଁ ଜମିଗୁଡିକରେ ଜେସିବି ଯିବାଆସିବା କରୁଥିବାରୁ ଚାଷ ହୋଇଥିବା ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି ା ବାଞ୍ଜିପାଲି ଗ୍ରାମର ଯଜ୍ଞକୁମର ସାହୁଙ୍କ ଜମିରେ ଚାଷ ହୋଇଥିବା ସୋରିଷ, ଡାଲି ଓ ଚଣା କିଆରି ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ଭାବେ ଅନେକଙ୍କ ଜମି ନଷ୍ଟ ହୋଇଛି। ପ୍ରକଳ୍ପ କିମ୍ବା ଠିକା ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଅବଗତ କରା ନ ଯାଇ ପ୍ରକଳ୍ପ କାମ ତ୍ୱରାନ୍ବିତ କରାଯାଉଥିବାରୁ କ୍ଷତିଗ୍ରସ୍ତ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି।