କାଳବୈଶାଖୀରେ ଫସଲକ୍ଷତି: ଆକଳନ ଆରମ୍ଭ, ଆଶଙ୍କାରେ ଚାଷୀ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ଫସଲ ଅମଳକ୍ଷମ ଅବସ୍ଥାରେ ରହିଛି। ଜିଲାର କେତେକ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ଏଭଳି ସମୟରେ କାଳବୈଶାଖୀ ଚାଷୀଙ୍କୁ ଦାଉ ସାଧିଛି। ଝଡ଼ବର୍ଷା ସାଙ୍ଗକୁ କରାମାଡ଼(କୁଆପଥର ବୃଷ୍ଟି) ହେବା ଯୋଗୁ ଜିଲାର ଅନେକ ସ୍ଥାନରେ ଧାନ ସମେତ ପରିବା ଫସଲ ଉଜୁଡ଼ି ଯାଇଛି। ତେବେ ଆଗକୁ ମ୍ଯଯ କାଳବୈଶାଖୀ ଭୟ ରହିଥିବା ଯୋଗୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଶନିବାର ସନ୍ଧ୍ୟାରେ ହୋଇଥିବା ଝଡ଼ବର୍ଷା ଏବଂ କରାମାଡ଼ ପ୍ରଭାବରେ ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌଡ଼ପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମଲିପାଲି, ଜୟପୁର ଆଦି ଗ୍ରାମରେ ଫସଲକ୍ଷତି ହୋଇଥିଲା।

ରବିବାର ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ରଙ୍କ ସମେତ ବ୍ଲକ କୃଷି ଅଧିକାରୀ ଦେବାଶିଷ ଖମାରୀ, ସୁଲସୁଲିଆ ରାଜସ୍ବ ନିରୀକ୍ଷକ ମନୋରଞ୍ଜନ ଲୁହା, ହାତୀସର ରାଜସ୍ବ ନିରୀକ୍ଷକ କୁନୁ ପ୍ରଧାନ ପ୍ରମୁଖ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଜୟପୁର, ଗୌଡ଼ପାଲି, ନାରଙ୍ଗପୁର ଏବଂ ବିଛୁଆଁ ଗ୍ରାମର ପ୍ରଭାବିତ ଫସଲ ଅନୁ୍ଯଯାନ କରି କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୧୨୦ ହେକ୍ଟର ଧାନ ଏବଂ ପରିବା ଫସଲ କାଳବୈଶାଖୀରେ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଛି ବୋଲି ସୂଚନା ମିଳିଛି। ଆକଳନ ସମୟରେ ଚାଷୀମାନେ ଉପସ୍ଥିତ ରହି ରା୍ଯଯ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି କହିଥିଲେ। ଯେଉଁ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କରି ନାହାନ୍ତି, ସେମାନଙ୍କୁ ମଧ୍ୟ ଉଚିତ୍‌ କ୍ଷତିପୂରଣ ପ୍ରଦାନ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଧାରୀତ କ୍ଷତିପୂରଣ ସହାୟତା ରାଶିର ପୁନର୍ବିଚାର କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ।

ଅନ୍ୟପଟେ ୩ ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଲଦିପାଲି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ମଧ୍ୟ ଝଡ଼ବର୍ଷା, କରାମାଡ଼ ପ୍ରଭାବରେ ଉଭୟ ଧାନ ଏବଂ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଚିରାଚରିତ ଢ଼ଙ୍ଗରେ ଫସଲକ୍ଷତିର ଆକଳନ କରାଯାଉଛି। ତେବେ ପୂର୍ବରୁ ମଧ୍ୟ ଅନୁରୂପ କ୍ଷୟକ୍ଷତି ଆକଳନ ହୋଇଥିଲା ଏବଂ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ କିମ୍ବା ବୀମା ସହାୟତା ମିଳି ପାରି ନାହିଁ। ଫଳରେ ଏଥର ମ୍ଯଯ ତାହା ପାଇବା ନେଇ ଚାଷୀମାନେ ଏବେ ମଧ୍ୟ ଆଶଙ୍କାରେ ରହିଛନ୍ତି। ଫସଲକ୍ଷତିର ସଠିକ୍‌ ଆକଳନ କରାଯାଇ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଏବଂ ବୀମା ସହାୟତା ଯୋଗାଇବା ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆଁ ଦାବି କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ କିମ୍ବା ବୀମା ସହାୟତା ନ ମିଳିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସୋମବାର ସୁଦ୍ଧା କ୍ଷୟକ୍ଷତି ଆକଳନ ଚୂଡ଼ାନ୍ତ କରାଯାଇ ଜିଲାସ୍ତରକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭଟଲି ବ୍ଲକ କୃଷି ଅଧିକାରୀ ଖମାରୀ କହିଛନ୍ତି।

Share