ସାଧାରଣତଃ ଯିଏ ବେଶି ଶୁଅନ୍ତି ତାକୁ ସମସ୍ତେ କୁମ୍ଭୀର ଭଳି ପଡ଼ି ରହୁଛି ବୋଲି କହନ୍ତି । କାରଣ ଅଧିକ ସମୟ ଶୋଇ ରହିବା ଲାଗି କୁମ୍ଭୀର ବେଶ୍ ପରିଚିତ। ତେବେ ସେ ଏତେ ସମୟ କାହିଁକି ଶୋଇ ରହେ ଓ ଶୋଇବା ବେଳେ କାହିଁକି ପାଟି ଖୋଲା ରଖେ ଜାଣନ୍ତୁ ସେ ସମ୍ପର୍କରେ…
କୁମ୍ଭୀର ଏକ ଶକ୍ତିଶାଳୀ ଓ ହିଂସ୍ର ପ୍ରାଣୀ। ତା’ କବଳରୁ ବଞ୍ଚତ୍ବା ଅସମ୍ଭବ ପ୍ରାୟ। ଏମିତି କି ବାଘ, ଚିତା ଭଳି ପ୍ରାଣୀଙ୍କୁ ବି ସେ ଶିକାର କରିପାରେ। ହେଲେ ଦେଖିଥିବେ ଏତେ ଶକ୍ତିଶାଳୀ ପ୍ରାଣୀ ହୋଇ ବି ଅଧିକାଂଶ ସମୟ ସେ ଶୋଇ ରହେ। ତେବେ ସେ କାହିଁକି ଏତେ ସମୟ ଶୁଏ ତା’ ପଛରେ ରହିଛି କେତେ କାରଣ। ପ୍ରଥମତଃ କୁମ୍ଭୀର ଥଣ୍ଡା ରକ୍ତର ପ୍ରାଣୀ। ସେ ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିପାରେନା। ସେ ନିଜ ଆଖପାଖର ତାପମାତ୍ରା ଅନୁସାରେ ଗରମ ଅବା ଥଣ୍ଡା ହୁଏ। ତେଣୁ ଶୀତଦିନେ ଏମାନେ କମ୍ ସକ୍ରିୟ ରୁହନ୍ତି ଓ ଅଧିକ ଶୁଅନ୍ତି। କୁମ୍ଭୀର ଦିନରେ ପ୍ରାୟ ୧୦-୧୭ ଘଣ୍ଟା ଯାଏ ଶୋଇଥାଏ।
କୁମ୍ଭୀରର ଶୋଇବା ତା’ର ବୟସ, ଋତୁ ଓ ଅନ୍ୟ କାରକ ଉପରେ ବି ନିର୍ଭର କରେ। ଛୋଟ କୁମ୍ଭୀର ବଡ଼ କୁମ୍ଭୀର ଅପେକ୍ଷା କମ୍ ଶୁଅନ୍ତି। ଏହାବାଦ କୁମ୍ଭୀର ଏକ ଶିକାରୀ ପ୍ରାଣୀ, ଶିକାର କରିବା ପାଇଁ ତାକୁ ବହୁତ ଊର୍ଜାର ଆବଶ୍ୟକତା ପଡ଼େ। ଶିକାର କରିବା ପରେ ଶରୀରରେ ପୁଣି ଥରେ ଊର୍ଜା ଫେରାଇବା ଲାଗି ଏମାନେ ଲମ୍ବା ସମୟ ପାଇଁ ଶୁଅନ୍ତି। କୁମ୍ଭୀର ନିଜର ଊର୍ଜା ବହୁତ ଧୀରେ ଧୀରେ ଖର୍ଚ୍ଚ କରନ୍ତି। ତେଣୁ ସେମାନଙ୍କୁ ଅଧିକ ଊର୍ଜାର ଆବଶ୍ୟକତା ପଡ଼ି ନ ଥାଏ। ସେମାନେ କମ୍ ଖାଇ ବି ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି।
କୁମ୍ଭୀର ଅନେକ ସମୟରେ ପାଣିରେ ଭାସି ଭାସି ଶୁଅନ୍ତି ଓ ଶୋଇବାବେଳେ ଗୋଟେ ଆଖି ଖୋଲା ରଖନ୍ତି। କାରଣ କୁମ୍ଭୀର ଶୋଇବାବେଳେ ତା’ର ମସ୍ତିଷ୍କର କେବଳ ଗୋଟିଏ ଭାଗ ହିଁ ଶୋଇଥାଏ ଓ ଅନ୍ୟ ଭାଗଟି ଜାଗ୍ରତ ରହେ। ଅର୍ଥାତ୍ ତାଙ୍କର ଗୋଟିଏ ଭାଗ ମସ୍ତିଷ୍କ ସକ୍ରିୟ ରହେ ଏବଂ ସେମାନେ ଯେକୌଣସି ବିପଦ ପ୍ରତି ସତର୍କ ରହିପାରନ୍ତି। ଆସନ୍ନ ବିପଦକୁ ଅନୁଭବ କରିପାରନ୍ତି। ଗୋଟିଏ ଆଖିରେ ସେମାନେ ବିପଦ ପ୍ରତି ନଜର ରଖନ୍ତି। ଶିକାର ପାଖକୁ ଆସିଲେ ଶିକାର କରିପାରନ୍ତି। ତେଣୁ କୁମ୍ଭୀର ଶୋଇଛି ଭାବି ତା’ର ନିକଟତର ହେବା ବିପଜ୍ଜନକ ହୋଇପାରେ।