ମହାକାଳପଡ଼ା,୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ଛପାଲି-ସ୍କୁଲଘେରି ଗ୍ରାମ ନିକଟରେ କେନାଲ ବନ୍ଧ ଉପରେ ରବିବାର ବିଳମ୍ବିତ ରାତିରେ କୁମ୍ଭୀର ରାସ୍ତା ଅତିକ୍ରମ କରୁଥିବା ଜଣାପଡିଛି। ଲୋକମାନେ ଦେଖି ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷରେ ଏହି ସ୍କୁଲଘେରି ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ କେନାଲରେ ମତ୍ସ୍ୟଜୀବୀମାନଙ୍କର ୧୬ଟି ଦଳକୁ ନେଇ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍କୁଲଘେରି ପୂଜା କମିଟି ପକ୍ଷରୁ କୁହାଯାଇଛି। ହେଲେ ଏକ ମାସ ହେବ ଗୋବରୀ ନଦୀରୁ ଉଚ୍ଚ ବନ୍ଧ ପାରି ହୋଇ କେତେଗୋଟି କୁମ୍ଭୀର ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲରେ ପ୍ରବେଶ କରିଥିବା କୁହାଯାଇଛି। ଦିନକ ପରେ କେନାଲରେ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। କେନାଲରେ କୁମ୍ଭୀର ଥିବାରୁ ନୌଚାଳନା ପ୍ରତିଯୋଗିତା ନେଇ ଆଶଙ୍କା ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ କୁମ୍ଭୀରମାନଙ୍କୁ ଉଦ୍ଧାର କରି ନଦୀରେ ଛାଡିବାକୁ ଗ୍ରାମର ଯୁବକମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବନ ବିଭାଗ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ଅଭିଯୋଗ ମିଳିଛି ବୋଲି ସେ କହିଛନ୍ତି।