ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା ଭାରତ ସମେତ ୫୪ଟି ଦେଶକୁ ନେଇ ଏକ ନୂତନ ଆନ୍ତର୍ଜାତୀୟ ଖଣିଜ ଗୋଷ୍ଠୀ ଗଠନ କରିଛି। ଏହି ପଦକ୍ଷେପ ଦ୍ୱାରା ଭାରତ ଏବେ କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ୱପୂର୍ଣ୍ଣ ଖଣିଜ) କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ କେନ୍ଦ୍ର ପାଲଟିବ।
ଆମେରିକା ଚାଇନା ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ଭଳି ବିଶ୍ୱସ୍ତ ସହଯୋଗୀ ଦେଶମାନଙ୍କରେ ଖଣିଜ ଉତ୍ତୋଳନ ଏବଂ ରିଫାଇନିଂ କ୍ଷେତ୍ରରେ ୩୦ ବିଲିୟନ ଡଲାର (ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା) ନିବେଶ କରିବ।
ଆମେରିକା ଦୁଇଟି ନୂତନ ମଞ୍ଚ ଘୋଷଣା କରିଛି। FORGE ମଞ୍ଚ ଖଣିଜ ସପ୍ଲାଏକୁ ସ୍ଥିର ରଖିବ ଏବଂ Pax Silica ସେମିକଣ୍ଡକ୍ଟର ଓ AI ପାଇଁ ଆବଶ୍ୟକ ଖଣିଜ ଯୋଗାଣରେ ଭାରତକୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ଗ୍ରହଣ କରିବ। ଜରୁରୀକାଳୀନ ସ୍ଥିତିରେ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ରଣନୈତିକ ଖଣିଜ ଭଣ୍ଡାର ଗଠନ କରାଯିବ।
ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟିକସକୁ ୨୫% ରୁ ୧୮% କୁ ହ୍ରାସ କରିଛି। ଏହାଦ୍ୱାରା ଭାରତରୁ ବ୍ୟାଟେରୀ, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ରପ୍ତାନି ବହୁଗୁଣିତ ହେବ। ଭାରତ ଏବେ କେବଳ ଖଣିଜ ଆମଦାନୀକାରୀ ହୋଇ ରହିବ ନାହିଁ, ବରଂ ଏହାର ପ୍ରକ୍ରିୟାକରଣ ଏବଂ ରିଫାଇନିଂ ପାଇଁ ଏକ ବୈଶ୍ୱିକ ହବ୍ରେ ପରିଣତ ହେବ।
ୱାଶିଂଟନରେ ଆୟୋଜିତ ୨୦୨୬ କ୍ରିଟିକାଲ ମିନେରାଲ୍ସ ମିନିଷ୍ଟେରିଆଲ ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଉପସ୍ଥିତି ଏହି ନୂତନ ସହଯୋଗର ଗୁରୁତ୍ୱକୁ ସ୍ପଷ୍ଟ କରିଛି। ବିଶେଷଜ୍ଞଙ୍କ ମତରେ, ଭବିଷ୍ୟତରେ ଲିଥିୟମ, କୋବାଲ୍ଟ ଏବଂ ରେୟାର ଆର୍ଥ ଖଣିଜ ଉପରେ ଯେଉଁ ଦେଶର ନିୟନ୍ତ୍ରଣ ରହିବ, ସେହି ଦେଶ ହିଁ ବିଶ୍ୱର ସୁପରପାୱାର ହେବ।