Categories: ଖେଳ

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ ସିଜନକୁ ଉପଭୋଗ କରିଥିଲେ ହେଁ ତାଙ୍କର ଟ୍ରଫି ଜିତିବା ଅଭିଳାଷ ପୂରଣ ହୋଇ ପାରିନାହିଁ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜୁଭେଣ୍ଟସ ଚାମ୍ପିୟନ ହେବାର ନିକଟତର ହୋଇ ପାରିନାହିଁ। ଫଳରେ ୟୁରୋପରେ ୬ଷ୍ଠ ଥରପାଇଁ ଚାମ୍ପିୟନ ପଦକ ପିନ୍ଧିବା ସ୍ବପ୍ନ ଅଧୁରା ରହିଯାଇଛି। ଜୁଭେଣ୍ଟସ ଗତ ସିଜନର କ୍ୱାର୍ଟର ଫାଇନାଲରେ ଆଜାକ୍ସଠାରୁ ଏବଂ ଏଥର ରାଉଣ୍ଡ ଅଫ୍‌ ୧୬ରେ ଲିୟନଠାରୁ ପରାସ୍ତ ହୋଇଛି। ୩୩ଟି ଲିଗ୍‌ ମ୍ୟାଚରେ ୩୧ଟି ଗୋଲ ଦେଇ ରୋନାଲ୍ଡୋ ନିଜକୁ ଜଣେ ବିଶ୍ୱସ୍ତରୀୟ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି। ତାଙ୍କୁ ୩୫ ବର୍ଷ ହୋଇଯାଇଥିବାରୁ ସେ ଅଧିକ ଟ୍ରଫି ଜିତିବା ସମ୍ଭାବନା କମିବାରେ ଲାଗିଛି। ଲିୟନଠାରୁ ଜୁଭେଣ୍ଟସର ପରାଜୟ ପରେ ସେ କ୍ଲବ ଛାଡ଼ିବାନେଇ ବିଚାର କରୁଥିବା ରିପୋର୍ଟମାନ ପ୍ରକାଶ ପାଇଛି। ଏପରିକି ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପ୍ୟାରିସ ସେଣ୍ଟ-ଜର୍ମନ କ୍ଲବ ସହିତ ଯୋଗାଯୋଗରେ ଥିବା କଥା ଶୁଣିବାକୁ ମିଳୁଛି।

Share
Tags: hiome left