ହେମନ୍ତଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ…

ରାଞ୍ଚି, ୨୫।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ ସୃଷ୍ଟି ହୋଇଛି। ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସମ୍ପର୍କିିତ ରାୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଲାଭ ଜନକ ପଦବୀ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ମଧ୍ୟ ନିଜର ମତ ପଠାଇଛନ୍ତି।

ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଚଳିତ ବର୍ଷ ଫେବୃଆରୀରେ ଦାବି କରିଥିଲେ ଯେ ହେମନ୍ତ ତାଙ୍କ ପଦର ଅପବ୍ୟବହାର କରି ନିଜକୁ ଖଣି ଲିଜ ପ୍ରଦାନ କରିଛନ୍ତି, ଯାହା ଉଭୟ ସ୍ବାର୍ଥ ଏବଂ ଦୁର୍ନୀତିକୁ ଅନ୍ତର୍ଭୁକ୍ତ କରାଯାଇଛି। ସେ ଲୋକ ପ୍ରତିନିଧୀ ନିୟମର ନିୟମ ଉଲ୍ଲଂଘନ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହି ବିବାଦକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମେ ମାସରେ ହେମନ୍ତଙ୍କୁ ଖଣି ଲିଜ୍‌ ନେଇ ନିଜର ପକ୍ଷ ରଖିବାକୁ ନୋଟିସ ପଠାଇଥିଲେ।

ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ ଖଣି ଲିଜର ମାଲିକାନା ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୯-ଏକୁ ଉଲ୍ଲଂଘନ କରିଥାଏ, ଯାହା ସରକାରୀ ଚୁକ୍ତିନାମା ପାଇଁ ଅଯୋଗ୍ୟତା ସହିତ ଜଡିତ। ନିର୍ବାଚନ ଆୟୋଗଙ୍କ ନିକଟରେ ମାମଲା ବିଚାରାଧୀନ ଅଛି। ଖଣି ଲିଜ ପ୍ରଦାନ ତଥା ଅନିୟମିତତା ଘଟଣାର ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ଏବଂ ସହଯୋଗୀଙ୍କ ସହ ଜଡିତ ଥିବା କେତେକ କମ୍ପାନୀର କାରବାର ସମ୍ପର୍କରେ ଅନୁସନ୍ଧାନ କରିବାକୁ ଝାଡଖଣ୍ଡ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଜୁନ ୩ରେ ଅଦାଲତ କହିଥିଲେ କୋର୍ଟଙ୍କ ରାୟ ହେଉଛି ଯେ, ରିଟ୍‌ ପିଟିଶନକୁ ଆବେଦନକୁ ବିଚାରଣୀୟତା ଆଧାରରେ ଖାରଜ କରାଯାଇପାରିବ ନାହିଁ ଏବଂ ଯୋଗ୍ୟତା ଅନୁଯାୟୀ କୋର୍ଟ ମାମଲାର ଶୁଣାଣି କରିବେ।

Share